ଛୋଟ ବୁଢ଼ିଆଣୀ ଭୟରେ ବନ୍ଦ ହେଲା ଅଷ୍ଟ୍ରିଆର ସୁପର ବଜାର…

ଭିଏନା,୧୨।୮ : ଅଷ୍ଟ୍ରିଆର ଏକ ସୁପର ବଜାରରେ ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଦେଖିବାକୁ ମିଳିଛି ଯାହାର କାମୁଡ଼ା ଯନ୍ତ୍ରଣାଦାୟକ। ଏହା ଯୋଗୁ ମୃତ୍ୟୁ ମଧ୍ୟ ହୋଇପାରେ। ବୁଢ଼ିଆଣୀ ଦେଖିବା ପରେ ଭୟରେ ସୁପର ବଜାର ବନ୍ଦ ହୋଇଯାଇଥିଲା।

ଫକ୍ସ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଜଣେ ଷ୍ଟୋର ମ୍ୟାନେଜର ଏକ କଦଳୀ ବାକ୍ସରେ ଥିବା ଏହି ବିପଜ୍ଜନକ ବୁଢ଼ିଆଣୀକୁ ଦେଖିଥିଲେ, ଯାହା ପରେ ସୁପର ବଜାର ବନ୍ଦ ହୋଇଯାଇଥିଲା ଏବଂ ତତକ୍ଷଣାତ ଅଗ୍ନିଶମ ବାହିନୀକୁ ଡକାଯାଇଥିଲା।

ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ଅତ୍ୟନ୍ତ ବିଷାକ୍ତ। ଖବର ଅନୁଯାୟୀ, ଏହି କ୍ଷୁଦ୍ର ପ୍ରାଣୀ କେବଳ ଅତ୍ୟଧିକ ବିଷାକ୍ତ ନୁହେଁ, ବରଂ ଏହାର କାମୁଡ଼ିବା ଦ୍ୱାରା ସୃଷ୍ଟି ହେଉଥିବା ଯନ୍ତ୍ରଣା ଚାରି ଘଣ୍ଟା ପର୍ଯ୍ୟନ୍ତ ରହିପାରେ। ଷ୍ଟୋର ପରିଚାଳକ କହିଛନ୍ତି ଏହି ବୁଢ଼ିଆଣୀର ଲମ୍ବ ପ୍ରାୟ ୪ ଇଞ୍ଚ ଏବଂ ଏହା କଳା ଓ ନାଲି ରଙ୍ଗର ଥିଲା। ପ୍ରାରମ୍ଭରେ, କର୍ତ୍ତୃପକ୍ଷ ଏହା ଏକ କଦଳୀ ବୁଢ଼ିଆଣୀ ବୋଲି ଭାବିଥିଲେ, କିନ୍ତୁ ପରେ ଏହା ବ୍ରାଜିଲର ଭ୍ରମଣକାରୀ ବୁଢ଼ିଆଣୀ ବୋଲି ଜଣାପଡିଥିଲା, ଯାହା ପରେ ସୁପର ବଜାର ବନ୍ଦ କରିବାକୁ ପଡିଥିଲା।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଅଗ୍ନିଶମ ବାହିନୀ ଦୋକାନରେ ପହଞ୍ଚିବା ପରେ ବୁଢ଼ିଆଣୀକୁ ଆଉ ଦେଖିବାକୁ ମିଳି ନ ଥିଲା। ଆସନ୍ତା ସପ୍ତାହରେ ଆଉଟଲେଟ ଖୋଲିବା ପୂର୍ବରୁ ବ୍ୟାପକ ସଫେଇ ସୁରକ୍ଷା ପଦକ୍ଷେପ ନିଆଯାଉଛି ବୋଲି ସୁପର ବଜାର ଶୃଙ୍ଖଳାର ମାଲିକ ରିଭ କହିଛନ୍ତି। ଜଣେ ଖୁଚୁରା ବ୍ୟବସାୟୀ କହିଛନ୍ତି  ସମସ୍ତ ପଦକ୍ଷେପ ନିରାପତ୍ତା ପାଇଁ ଏବଂ ଯତ୍ନର ସହ କରାଯାଇଛି ଯାହା ଦ୍ୱାରା ସୁପର ବଜାର ଖୋଲାଯାଇପାରିବ।

Share