ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୯।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ର ପେପର-୧(ବିଇ/ବିଟେକ୍‌) ଫଳାଫଳ ସୋମବାର ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଘୋଷଣା କରିବା ସହିତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୬ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ସେମାନେ ହେଲେ ଦିଲ୍ଲୀର ପ୍ରଭାର କଟରିଆ ଓ ରଞ୍ଜିମ ପ୍ରବଳ ଦାସ, ରାଜସ୍ଥାନର ସକେତ୍‌ ଝା, ଚଣ୍ଡିଗଡ଼ର ଗୁରମିତ୍‌ ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ଥ କ୍ରିଷ୍ଣା କିଡ଼ାମ୍ବୀ। ତେବେ ଓଡ଼ିଶାର ଗୌତମ ଦାସ ୯୯.୯୯ ପର୍ସେଣ୍ଟାଇଲ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ଗୌତମ ହେଉଛନ୍ତି ଭୁବନେଶ୍ୱର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର। ସେ ଗଣିତ ଓ ଫିଜିକ୍ସରେ ୧୦୦ରୁ ୧୦୦ ନମ୍ବର ରଖିଥିବାବେଳେ କେମେଷ୍ଟ୍ରିରେ ୧୦୦ରୁ ୯୦ ନମ୍ବର ରଖିଛନ୍ତି।
ଏହି ସଫଳତା ସମ୍ପର୍କରେ ଗୌତମ କହିଛନ୍ତି, ଦିନକୁ ପ୍ରାୟ ୮ଘଣ୍ଟା ପରିଶ୍ରମ କରୁଥଲି। ଏଥର ପରୀକ୍ଷା ପ୍ରଶ୍ନ ବେଶି କଷ୍ଟ ନ ଥିଲା। କେମେଷ୍ଟ୍ରି ପେପର ଅଧିକ ଟ୍ରିକି ରହିଥିଲା। ସ୍କୁଲ ହେଉ କି କୋଚିଂ ସେଣ୍ଟର, ଯେଉଁଠି ବି ପଢ଼ିଲେ ମଧ୍ୟ ନିଜେ ପରିଶ୍ରମ ନ କଲେ ଭଲ ରେଜଲ୍ଟ ହେବ ନାହିଁ। ତେଣୁ ସବୁପିଲା ଯେତେ ସମ୍ଭବ ଅଧିକ ସମୟ ପାଠ ପଢ଼ନ୍ତୁ। ଭବିଷ୍ୟତରେ ଆଇଆଇଟି ବମ୍ବେରେ ପଢ଼ିବାକୁ ଆଶା ରଖିଥିବା ଗୌତମ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ସଫଳତା ପାଇଁ ସେ ମା’, ବାପା, ସ୍କୁଲ ଶିକ୍ଷକ ଓ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। ୧୦ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯାଇଥିବାରୁ ଏନ୍‌ଟିଏର ଏହା ବଡ଼ ସଫଳତା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ୍‌ କରି ପ୍ରକାଶ କରିଛନ୍ତି। ଏଥର ୬,୨୦,୯୭୮ଜଣ ପରୀକ୍ଷା ଦେଇଥିଲେ। ୩୩୧ଟି ସହରରେ ମୋଟ ୮୨୮ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଭାରତ ବାହାରେ କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କାଟ, ରିୟାଧ, ଶାରଜା, ସିଙ୍ଗାପୁର ଓ କୁଏତ୍‌ ଆଦି ସହରରେ ବି ପରୀକ୍ଷା ହୋଇଥିଲା। ପୂର୍ବରୁ ଏହି ପରୀକ୍ଷା ୩ଟି ଭାଷାରେ ହେଉଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଇଂଲିଶ, ହିନ୍ଦୀ, ଗୁଜରାଟୀ, ଅସମିଆ, ବଙ୍ଗଳା, କନ୍ନଡ଼, ମାଲାୟାଲମ୍‌, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଆଦି ୧୩ ଭାଷାରେ ପରୀକ୍ଷା ହୋଇଥିଲା। ଛାତ୍ରୀଛାତ୍ର https://jeemain.nta.nic.in ଓ୍ବେବ୍‌ସାଇଟ୍‌କୁ ଯାଇ ପରୀକ୍ଷାଫଳ ସହ ଅଧିକ ତଥ୍ୟ ପାଇପାରିବେ।

Share