Categories: ଖେଳ

ଏଭରେଷ୍ଟ ଆରୋହୀ ବଚେନ୍ଦ୍ରୀଙ୍କ ଉପରେ ପ୍ରାମାଣିକ ଚଳଚ୍ଚିତ୍ର

ଭୁବନେଶ୍ୱର, ୨୬।୮(ତପନ ସ୍ବାଇଁ): କିମ୍ବଦନ୍ତୀ ପର୍ବତାରୋହୀ ତଥା ଭାରତର ପ୍ରଥମ ଏଭରେଷ୍ଟ ବିଜୟିନୀ ବଚେନ୍ଦ୍ରୀ ପାଲ୍‌ଙ୍କ ଜୀବନୀ ଉପରେ ଆଧାରିତ ଏକ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏହାର ନାମ ରଖାଯାଇଛି ‘ବଚେନ୍ଦ୍ରୀ ପାଲ୍‌-ଆନ୍‌ ଆଞ୍ଜେଲ ଅଫ୍‌ ହିମାଳୟ’। ଗତ ଗୁରୁବାର ଜାମସେଦପୁରର କୁଡ୍ଡି ଅଡିଟୋରିୟମରେ ଏହା ପ୍ରଦର୍ଶିତ ହୋଇଛି। ଏହାର ନିର୍ମାତା ଓ ନିର୍ଦ୍ଦେଶକ ହେଉଛନ୍ତି ଓଡ଼ିଶାର ଦୁଃସାହସିକ କ୍ରୀଡ଼ା ସଙ୍ଗଠକ ସୁଶାନ୍ତ ଦାସ। ଏହି ଚଳଚ୍ଚିତ୍ରର ସ୍କ୍ରିନିଂରେ ନିଜେ ପଦ୍ମଭୂଷଣ ବଚେନ୍ଦ୍ରୀ ପାଲ ଓ ଟାଟା ଷ୍ଟିଲ୍‌ ଆଡ୍‌ଭେଞ୍ଚର ଫାଉଣ୍ଡେଶନ ମୁଖ୍ୟ ହେମନ୍ତ ଗୁପ୍ତା ଉପସ୍ଥିତ ଥିଲେ। ୨୫ ମିନିଟ ଅବଧିର ଏହି ଚଳଚ୍ଚିତ୍ରକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ଏନ୍‌ସିସିର ଛାତ୍ରୀଛାତ୍ର ଓ ଶିକ୍ଷକ, ଅଭିଭାବକ ଓ ମାଣ୍ୟଗଣ୍ୟ ବ୍ୟକ୍ତି ଉପଭୋଗ କରି ପ୍ରଶଂସା କରିଥିଲେ।
ଉକ୍ତ ଚଳଚ୍ଚିତ୍ରରେ ବଚେନ୍ଦ୍ରୀଙ୍କର ଜୀବନ ଆରମ୍ଭରୁ ବର୍ତ୍ତମାନ ଯାଏ ଘଟିଯାଇଥିବା ଘଟଣାବଳୀ, ଜୀବନଶୈଳୀ, ବିଭିନ୍ନ ଦୁଃସାହସିକ ଅଭିଯାନ ଏବଂ ତାଙ୍କ ଅନ୍ତରଙ୍ଗ ବନ୍ଧୁ ଏବଂ ସହକର୍ମୀଙ୍କ ପ୍ରତିକ୍ରିୟା ସ୍ଥାନିତ ହୋଇଛି। ଜଣେ ପର୍ବତାରୋହୀ ବ୍ୟତୀତ ସମାଜ ପ୍ରତି ତାଙ୍କର ଅବଦାନ, ମହିଳା ସଶକ୍ତୀକରଣ ଏବଂ ଅନାଥ ପିଲାଙ୍କ ରକ୍ଷଣାବେକ୍ଷଣ ଏବଂ ଥଇଥାନ ଦିଗରେ ତାଙ୍କର ପ୍ରଚେଷ୍ଟାକୁ ଏଥିରେ ଉପସ୍ଥାପିତ କରାଯାଇଛି। ସୁଶାନ୍ତ ଦାସ ଜଣେ ପେସାଦାର ନିର୍ମାତାଭାବେ ବଚେନ୍ଦ୍ରୀଙ୍କ ଜୀବନର ଅନାଲୋଚ୍ୟ ଦିଗଗୁଡ଼ିକ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ କରି ଉକ୍ତ ଚଳଚ୍ଚିତ୍ରରେ ଦେଖାଇବାରେ ପ୍ରୟାସ କରିଛନ୍ତି। ଏହି ଚଳଚ୍ଚିତ୍ରର ଚିତ୍ର ଉତ୍ତୋଳନ କରିଛନ୍ତି ଅମୃତେନ୍ଦୁ ବରାଳ, ସ୍ଥିରଚିତ୍ର ଉତ୍ତୋଳନ କରିଛନ୍ତି ଦିଲୀପ ଧୀର ସାମନ୍ତ ଏବଂ ସମ୍ପାଦନା ଦାୟିତ୍ୱ ତୁଲାଇଛନ୍ତି ମାନସ ରଞ୍ଜନ ବେହେରା। ଭାରତ ସରକାରଙ୍କ ଫିଲ୍ମ ଡିଭିଜନ ଦ୍ୱାରା ପ୍ରସ୍ତୁତ ‘ଏଭରେଷ୍ଟ-୮୪’ ପରେ ଏହା ବଚେନ୍ଦ୍ରୀଙ୍କ ଉପରେ ଦ୍ୱିତୀୟ ପ୍ରାମାଣିକ ଚଳଚ୍ଚିତ୍ର।

Share