Categories: ଫୁରସତ

ଅଟିଜମ୍‌ ପିଲାଙ୍କୁ ଆଦର ଲୋଡ଼ା

ପ୍ରତିବର୍ଷ ଜୁନ୍‌ ୧୮କୁ ‘ଓ୍ବାଲର୍‌ଡ ଅଟିଜମ୍‌ ପ୍ରାଇଡ୍‌ ଡେ’ ଭାବେ ପାଳନ କରାଯାଇଆସୁଅଛି। ଏହି ଅବସରରେ ଚଳିତ ବର୍ଷର ସ୍ଲୋଗାନ ରହିଛି ‘ଟେକିଂ ଦ ମାସ୍କ ଅଫ୍‌’ ଅର୍ଥାତ୍‌, ଅଟିଜମ୍‌ ଆକ୍ରାନ୍ତ ପିଲାଙ୍କୁ ଘୃଣା ନ କରି ସେମାନଙ୍କୁ ଆଦର କରିବା, ସେମାନଙ୍କ ଦୁଃଖସୁଖରେ ସାଥୀ ହେବା ଏବଂ ସେମାନେ କିପରି ଏକ ସୁନ୍ଦର ତଥା ଖୁସି ଜୀବନ ବିତାଇପାରିବେ ସେଥିନେଇ ଆମେ ସହଯୋଗର ହାତ ବଢ଼ାଇବା। ୨୦୦୫ରେ ପ୍ରଥମ ଥର ପାଇଁ ଏହି ଦିବସ ପାଳନ କରାଯାଇଥିଲା। ସାଧାରଣତଃ ପିଲାଙ୍କଠାରେ ଦେଖାଯାଉଥିବା ଅଟିଜମ୍‌ ଜନିତ ସ୍ବାସ୍ଥ୍ୟ ସମସ୍ୟା ବିଷୟରେ ଶିଶୁ ରୋଗ ବିଶେଷଜ୍ଞ ଡା. ନୀଳମାଧବ ପଣ୍ଡା କହନ୍ତି, ‘ବର୍ତ୍ତମାନ ସମଗ୍ର ପୃଥିବୀରେ ଅଟିଜମ୍‌ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହୋଇଛି। ଏ ନେଇ ଅଧିକ ଜନସଚେତନତା ସୃଷ୍ଟି ଲାଗି ଗତ ମାସକୁ ‘ଅଟିଜମ୍‌ ମାସ’ ଭାବରେ ପାଳନ କରାଯାଇଛି। ଅଟିଜମ୍‌ ହେଉଛି ଏକ ସ୍ନାୟୁ ବିକାଶଜନିତ ବିଭ୍ରାଟ। ଏଥିରେ ଆକ୍ରାନ୍ତ ହେଲେ ସମ୍ପୃକ୍ତ ଶିଶୁର ବ୍ୟବହାରରେ ଶିଥିଳତା ଦେଖିବାକୁ ମିଳେ ଏବଂ ସେ ଗୋଟିଏ ପ୍ରକାର ବ୍ୟବହାର ବାରମ୍ବାର କରିଥାଏ। ଅଟିଜମ୍‌ ଉପସର୍ଗ ବିଭ୍ରାଟ (ଏଏସ୍‌ଡି)ର କେତୋଟି ଲକ୍ଷଣ ରହିଛି। ଶିଶୁଟିକୁ ୧ ବର୍ଷ ହୋଇଥିଲେ ମଧ୍ୟ ତା’ ନଁା ଧରି ଡାକିଲେ ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନ ଥାଏ। ଏପରି କି ଯେତେବେଳେ ତାହାର ବୟସ ୧୮ ମାସ ବା ଦେଢ଼ ବର୍ଷ ହୁଏ, ସେତେବେଳେ ସେ ସ୍ପଷ୍ଟ ଭାବରେ କଥା କହିପାରେନା। ସେ ପ୍ରାୟ ଏକ ପ୍ରକାର ଖେଳ ଖେଳିଥାଏ। ସାଙ୍ଗମାନଙ୍କ ସହ କମ୍‌ ଖେଳାଖେଳି କରେ। ତାହାର ଚାଲିଚଳନରେ ଭିନ୍ନତା ପରିଲକ୍ଷିତ ହୁଏ। ଶିଶୁଠାରେ ଏଭଳି ଲକ୍ଷଣ ଦେଖିଲେ ଶିଶୁରୋଗ ବିଶେଷଜ୍ଞଙ୍କ ପରାମର୍ଶ କରି ତାର ବିହିତ ବ୍ୟବସ୍ଥା କରିପାରିବେ। ତେବେ ଏଭଳି ସମସ୍ୟାରେ ଆକ୍ରାନ୍ତ ଶିଶୁକୁ ଉତ୍ତମ ବ୍ୟବହାର ତଥା ଆଦର କରିବା ଆବଶ୍ୟକ।

Share