ବିବାହର ମିଥ୍ୟା ପ୍ରତିଶୃତି ଦେଇ ଘରୋଇ ସହାୟିକାଙ୍କୁ ଠକେଇ, ଅଟୋ ଚାଳକ ଗିରଫ

ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଜଣେ ଘରୋଇ ସହାୟିକାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କଠାରୁ ଟଙ୍କା ଠକିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳରେ ରହୁଥିବା ପୁରୀର ପ୍ରଦୀପ୍ତ କୁମାର ମୁଖୀ ।

ସୂଚନାନୁସାରେ, ଅଭିଯୋଗକାରିଣୀ ସ୍ଥାନୀୟ ଥାନା ଅନ୍ତର୍ଗତ ବିଡିଏ କଲୋନୀ ଅଞ୍ଚଳରେ ରହୁଥିବା ଜଣେ ବ୍ୟକ୍ତିଙ୍କ ଘରେ ଘରୋଇ ସହାୟିକା ଭାବେ କାର୍ଯ୍ୟ କରନ୍ତି । ଅଭିଯୁକ୍ତ ଜଣକ ଗତ ୨୦୨୨ରୁ ନିଜ ଅଟୋରେ ଅଭିଯୋଗକାରିଣୀଙ୍କୁ ଉକ୍ତ ବ୍ୟକ୍ତିଙ୍କ ଘରକୁ ନବାଆଣିବା କରୁଥିଲେ। ଏହି ନବାଆଣିବା ମଧ୍ୟରେ ଘରୋଇ ସହାୟିକା ଏବଂ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ଘନିଷ୍ଠ ହୋଇଥିଲା । ଏହାପରେ ଅଭିଯୁକ୍ତ ଜଣକ ବିବାହ କରିବାର ମିଥ୍ୟା ପ୍ରତିଶୃତି ଦେଇ କାର କିଣିବା, ଦୋକାନ କରିବା ଏବଂ ପୋଖରୀ ଖୋଳିବା ଆଦି ବିଭିନ୍ନ ଆଳ ଦେଖାଇ ଅନେକ ସମୟରେ ଘରୋଇ ସହାୟିକାଙ୍କଠାରୁ ବିଭିନ୍ନ ପର୍ଯ୍ୟାୟରେ ୧୧ ଲକ୍ଷ ୨୦ ହଜାର ଟଙ୍କା ଦେଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ଏହାସହ ପରବର୍ତ୍ତୀ ସମୟରେ ଘରୋଇ ସହାୟିକା ଏବଂ ତାଙ୍କ ଘର ମାଲିକ ଓ ଅଭିଯୁକ୍ତଙ୍କ ପରିବାରଙ୍କ ମଧ୍ୟରେ ଏକ ମନ୍ଦିରରେ ଅଲୋଚନା କରାଯାଉଥିବା ବେଳେ ଅଭିଯୁକ୍ତ ଟଙ୍କା ପୂର୍ବରୁ ଫେରାଇ ଦେଇଥିବା କହିବା ସହିତ ବାକି ୫୦ ହଜାର ଟଙ୍କା ଫେରାଇ ଦେବେ ବୋଲି କହିଥିଲେ । ହେଲେ ଘରୋଇ ସହାୟିକା କିଛି ଦିନ ପରେ ଟଙ୍କା ମାଗିବାରୁ ଅଭିଯୁକ୍ତ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ । ଏନେଇ ଘରୋଇ ସହାୟିକା ଜଣଙ୍କ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।