Categories: ଜାତୀୟ

ଅଟୋ ଚାଳକରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ: ସହଜ ନ ଥିଲା ଯାତ୍ରା

ମୁମ୍ବାଇ,୩୦।୬: ମହାରାଷ୍ଟ୍ର ରାଜନୈତିକ ସଙ୍କଟର ଅନ୍ତ ଘଟିଛି। ଭାଜପା ସମର୍ଥନରେ ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଧେ ଗୁରୁବାର ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସନ୍ଧ୍ୟା ସାଢ଼େ ୭ଟା ୪୦ରେ ଏକନାଥ ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଶିବସେନା ଇତିହାସରେ ସବୁଠାରୁ ବଡ଼ ବିଦ୍ରୋହ କରିଥିବା ଚେହେରା ହେଉଛି ଏକନାଥ ସିନ୍ଧେ। ଜଣେ ଅଟୋ ଚାଳକରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଯାତ୍ରା ଏକନାଥଙ୍କ ପାଇଁ ସହଜ ନ ଥିଲା। ୧୯୬୪ ଫେବୃଆରୀ ୯ରେ ସତାରାରେ ଜନ୍ମଗ୍ରହଣ କରିଥିଲେ ଏକନାଥ। ଠାଣେରୁ ଏକାଦଶ ଯାଏ ପାଠ ପଢ଼ିଥିଲେ ଏକନାଥ। ରାଜନୀତିରେ ଆସିବା ପୂର୍ବରୁ ସିନ୍ଧେ ୮୦ଦଶକରେ ବିୟର ଦୋକାନରେ କାମ କରୁଥିଲେ। ଏଥିସହ ପରିବାର ଭରଣ ପୋଷଣ ପାଇଁ ସେ ଅଟୋ ଚଳାଉଥିଲେ। ଏହି ସମୟରେ ଆନନ୍ଦ ଦିଘେଙ୍କ ସହ ତାଙ୍କର ଭେଟ ହୋଇଥିଲା। ମାତ୍ର ୧୮ବର୍ଷ ବୟସରୁ ତାଙ୍କର ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ପ୍ରାୟ ଦେଢ଼ ଦଶନ୍ଧି ଧରି ସିନ୍ଧେ ଜଣେ ସାଧାରଣ ଶିବସେନା କର୍ମକର୍ତ୍ତାଙ୍କ ଭାବେ କାମ କରିବା ପରେ ୧୯୯୭ରେ ସେ ନିର୍ବାଚନ ରାଜନୀତିରେ ପ୍ରବେଶ କରିଥିଲେ। ୧୯୯୭ରେ ମ୍ୟୁନସିପାଲିଟି କର୍ପୋରରେସନକୁ ସେ କର୍ପୋରେଟର ଭାବେ ନିର୍ବାଚିତ ହୋଇଥିଲେ। କର୍ପୋରେଟର ଥିବା ବେଳେ ନିଜର ଦୁଇ ପିଲାଙ୍କୁ ହରାଇଥିଲେ ସିନ୍ଧେ। ଏହି ଘଟଣାରେ ସେ ଏତେ ଭାଙ୍ଗିଯାଇଥିଲେ ଯେ ରାଜନୀତିରୁ ନିଜକୁ ଦୂରେଇ ନେଇଥିଲେ। କିନ୍ତୁ ଆନନ୍ଦ ଦିଘେ ତାଙ୍କୁ ସମ୍ଭାଳିବା ସହ ସକ୍ରିୟ ରାଜନୀତିକୁ ଆଣିଥିଲେ। ତେବେ ୨୦୦୧ରେ ଆନନ୍ଦ ଦିଘେଙ୍କ ଦେହାନ୍ତ ପରେ ସିନ୍ଧେ ଶିବସେନାକୁ ଅଧିକ ଶକ୍ତିଶାଳୀ କରିବା କାମରେ ଲାଗିଥିଲେ। ବିଶେଷ କରି ଥାନେରେ ସେ ନିଜର ଶକ୍ତିବୃଦ୍ଧି କରିଥିଲେ। ତାଙ୍କ ତତ୍ତ୍ୱାବଧାନରେ ଶିବସେନାର ସବୁ କାମ ହେଉଥିଲା। ୨୦୦୪ରେ ବିଧାନସଭା ନିର୍ବାଚନରେ ଶିବସେନା ସିନ୍ଧେଙ୍କୁ ଠାଣେ ବିଧାନସଭାରୁ ଟିକେଟ ଦେଇଥିଲା। ଏଠାରେ ମଧ୍ୟ ତାଙ୍କୁ ବିଜୟ ମିଳିଥିଲା। ଏହାପରେ ୨୦୦୯, ୨୦୧୪ ଓ ୨୦୧୯ରେ ସେ ସମାନ ଆସନରୁ ଜିତି ବିଧାନସଭାକୁ ଯାଇଛନ୍ତି। ଠାକରେ ପରିବାରର ସହ ତାଙ୍କର ବେଶ ନିବିଡତା ରହିଥିଲା। ହେଲେ ଏବେ ତାଙ୍କ ବିଦ୍ରୋହ ଯୋଗୁ ଉଦ୍ଧବ ସରକାର ଭୁଶୁଡ଼ିଛି। ସେ ଶିବସେନା ବିଦ୍ରୋହୀ ବିଧାୟକଙ୍କୁ ଧରି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

Share