ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ଓଲଟିଲା ଅଟୋ: ୩ ମୃତ

ଅନୁଗୋଳ ଅଫିସ,୧୯ା୨: ଅନୁଗୋଳ ଜିଲା ଶଙ୍ଖପୁର ଖାଲଗାଁ ନିକଟରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଜାଗର ଯାତ୍ରାରୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଯାତ୍ରୀବାହୀ ଅଟୋ ଓଲଟିବା ଫଳରେ ଏହି ଅଭାବନୀୟ ଘଟଣା ଘଟିଛି।

ସୂଚନା ଅନୁସାରେ ଅନୁଗୋଳ ଜିଲା କୁଲାସିଂହା ଗ୍ରାମର ପୀତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନ ଓ ମୁନା ପ୍ରଧାନଙ୍କୁ ମିଶାଇ ୫ ଜଣ ନୂଆରାଇଗୁଡ଼ାକୁ ଝିଅ ଛାଡ଼ିବାକୁ ଯାଇଥିଲେ। ଝିଅ ଛାଡ଼ି ନକଟସ୍ଥ ଗାଁରେ ହେଉଥିବା ଜାଗର ଯାତ୍ରା ଦେଖି ଫେରୁଥିବା ବେଳେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଅଟୋଟି ଓଲଟି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପୀତାମ୍ବର ପ୍ରଧାନ, ଗୁଣ୍ଡିଚା ପ୍ରଧାନଙ୍କର ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଅଟୋ ଡ୍ରାଇଭର ମୁନାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ମା’ ଏବଂ ଝିଅ ଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।