ଅଧାରେ ରହିଲା ମା’ ତାରାତାରିଣୀଙ୍କ ଦର୍ଶନ: ଓଲଟି ପଡ଼ିଲା ଅଟୋ

ହିଞ୍ଜିଳିକାଟୁ, ୩୦।୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିଥାନା ବାଦିଆମ୍ବଗାଁ ନିକଟରେ ମଙ୍ଗଳବାର ଏକ ଯାତ୍ରୀବାହୀ ଅଟୋ (ନଂ.ଓଡି୦୭ଏଏଲ୍‌-୫୩୯୮) ଘନ କୁହୁଡ଼ି ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଛି। ଅଟୋଟି ରାସ୍ତାର ଏକ ବୁଲାଣିରେ ଓଲଟି ପଡିବାରୁ ଗୋଟିଏ ପରିବାରର ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟ ୪ଜଣ ସମାନ୍ୟ ଆହତ ହୋଇଛନ୍ତି। ଗୁରୁତର ହେଲେ ବ୍ରହ୍ମପୁର ସଦର ଥାନା ଆଙ୍କୁଶପୁର ଗ୍ରାମର ଅଟୋ ଚାଳକ ମୁନା ସାହୁ(୩୪), ଶାନ୍ତି ସାହୁ (୬୦), ଲକ୍ଷ୍ମୀ ସାହୁ (୨୭) ଓ ରାଜେଶ୍ବରୀ ସାହୁ (୩୦) ।

ମିଳିଥିବା ସୂଚନା ମୁତାବକ, ଆଙ୍କୁଶପୁର ଗ୍ରାମର ୮ଜଣ ଅଟୋରେ ମା’ ତାରାତାରିଣୀଙ୍କୁ ଦର୍ଶନ କରିବାକୁ ବାହାରିଥିଲେ। ହେଲେ ଘନ କୁହୁଡି ଯୋଗୁ ବାଦିଆମ୍ବଗାଁ ନିକଟ ଏକ ବୁଲାଣିରେ ଅଟୋ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ କଲର୍ଭଟ ପିଲାରରେ ପିଟି ହୋଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।