ତେଲ ଭରିବା ପାଇଁ ଧାଡ଼ିରେ ଠିଆ ହୋଇଥିବା ଅଟୋ ଚାଳକଙ୍କ ମୃତ୍ୟୁ

କଲମ୍ବୋ,୧୬ା୬: ଶ୍ରୀଲଙ୍କା ଅତ୍ୟନ୍ତ ଖରାପ ପରସ୍ଥିତି ଦେଇ ଗତି କରୁଛି। ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲିୟମ ଉତ୍ପାଦ ଦର ଆକାଶଛୁଆଁ ହୋଇଛି। ପରିସ୍ଥିତି ଏପରି ହୋଇଛି ଯେ, ଶ୍ରୀଲଙ୍କାର ଜଣେ ସାଧାରଣ ନାଗରିକ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ କିଣିବାକୁ ସକ୍ଷମ ନୁହନ୍ତି। ଯେଉଁଠି ପେଟ୍ରୋଲ ପମ୍ପ୍‌ ରହିଛି ସେଠାରେ ଲୋକଙ୍କର ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି। ତେଲ ଟିକେ ପାଇଁ ଧାଡ଼ିରେ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।

ଏହି ସମୟରେ କଲମ୍ବୋରେ ଥିବା ପେଟ୍ରୋଲ ପମ୍ପରେ ତେଲ ଭରିବା ପାଇଁ ଠିଆ ହୋଇଥିବା ଜଣେ ଅଟୋ ଚାଳକଙ୍କ ଜୀବନ ଯାଇଛି। ୫୩ ବର୍ଷୀୟ ଅଟୋ ଡ୍ରାଇଭର ଜଣକ ହୃଦଘାତରେ ମୃତ୍ୟୁବରଣ କରିଥିବା କୁହାଯାଉଛି। ମୃତ ବ୍ୟକ୍ତି ଜଣକ ରାତିସାରା ଇନ୍ଧନ ପାଇଁ ଲାଇନ୍‌ରେ ଛିଡ଼ା ହୋଇଥିଲେ। ଅଧିକାରୀମାନେ କହିଛନ୍ତି, ଅଟୋ ଡ୍ରାଇଭର ବୁଧବାର ରାତିରୁ ପାନାଦୁରାର କଲମ୍ବୋ ଦକ୍ଷିଣ ଉପକଣ୍ଠରେ ଇନ୍ଧନ ପାଇଁ ଲାଇନ୍‌ରେ ଅପେକ୍ଷା କରିଥିଲେ। ଅଟୋ ଭିତରେ ହୃଦ୍‌ଘାତ ହୋଇଥିଲା।

Share