ନିରାକାରପୁର,୧୪।୩(ଡି.ଏନ୍.ଏ.):ବିଭିନ୍ନ ସମୟରେ ଦାୟିତ୍ୱରେ ଥିବା ରେଳ ଫାଟକ ଜଗୁଆଳିଙ୍କ ତ୍ରୁଟି ଯୋଗୁ କେତେବେଳେ ଅଟୋ ତ କେତେବେଳେ କାର୍ ଫାଟକ ମଝିରେ ଫସି ରହୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି। ଘଟଣା ସମ୍ପର୍କରେ ରେଳ ଅଧିକାରୀ ଜାଣି ସୁଦ୍ଧା କୌଣସି ପଦକ୍ଷେପ ନେଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଛି। ପୁଣି ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ନିରାକାରପୁର ରେଳ ଫାଟକରେ। ଶୁକ୍ରବାର ପୂର୍ବାହ୍ନରେ ଖୋର୍ଦ୍ଧାରୋଡ଼ରୁ ବ୍ରହ୍ମପୁର ଅଭିମୁଖେ ଏକ ଦ୍ରୁତଗାମୀ ଟ୍ରେନ ଯିବା ନେଇ ସଂକେତ ମିଳିଥିଲା। ସେତିକିବେଳେ ନିରାକାରପୁର ବଜାରରୁ ମେଡିକାଲ ଅଭିମୁଖେ ଯାତ୍ରୀଙ୍କୁ ଧରି ଏକ ଅଟୋ ଯାଉଥିଲା। ହେଲେ ନିରାକାରପୁର ରେଳ ଫାଟକ ଜଗୁଆଳି ତରବରିଆ ଭାବେ ଫାଟକ ପକାଉଥିବା ବେଳେ ଅଟୋଟି ଫାଟକ ଭିତରେ ଫସି ରହିଥିଲା। ହେଲେ ଜଗୁଆଳି ପୁଣି ପଛ ଗେଟ୍ ଟେକିବାରୁ ଅଟୋ ବାହାରକୁ ଆସିଥିଲା। ଫଳରେ ଦୁର୍ଘଟଣାରୁ ଅଟୋ ଅଳ୍ପକେ ବର୍ତ୍ତି ଯାଇଛି। ପରେ ଟ୍ରେନ୍ ପାସ୍ କରିଥିଲା।