ଭବାନୀପାଟଣା/ଜୁନାଗଡ଼,୨୦।୯(ଉତ୍ତମ କୁମାର ଦାଶ/ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲାରେ ବୁଧବାର ଗଣପର୍ବ ନୂଆଁଖାଇ ପାଳନ ହେବ। ଏହାପୂର୍ବରୁ ମଙ୍ଗଳବାର ଜିଲାରେ ଏକ ଦୁଃଖଦ ଘଟଣା ଘଟିଛି। ଜିଲାର ଜୁନାଗଡ ଥାନା ଅଧୀନ ଚିକିଲି ଛକ ବୁଲାଣି ନିକଟରେ ଅଟୋ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଅଟୋରେ ବସିଥିବା ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଥୁଆମୂଳ ରାମପୁର ଥାନା କାଠକୁରା ଗ୍ରାମର କୃଷ୍ଣଚନ୍ଦ୍ର ନାଏକ (୨୫), ପଦୁଶର ନାଏକ (୫୦) ଓ ଅମୃତସର ନାଏକ (୪୫)। ଦୁର୍ଘଟଣାରେ ଗୁରୁତର ୬ଜଣ ଆହତଙ୍କୁ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, କାଠକୁରା ଗ୍ରାମର ଗୋଟିଏ ପରିବାରର ୯ଜଣ ପୂର୍ବାହ୍ନରେ ଏକ ଅଟୋ (ନଂ.ଓଡି୦୮- ଏସ୍୯୩୬୯) ଯୋଗେ ଧର୍ମଗଡ ବ୍ଲକ ଛିଲିପା ଗ୍ରାମର ସମ୍ପର୍କୀୟ ଘରକୁ ଯାଉଥିଲେ। ଏହି ସମୟରେ ବାଟରେ ଜୁନାଗଡ ଥାନା ଚିକିଲି ଛକ ବୁଲାଣି ନିକଟରେ ଜୁନାଗଡ ପଟୁ ଆସୁଥିବା ଏକ ଟ୍ରକ୍ (ନଂ.ସିଜି୦୭ସି-୩୪୯୬) ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ଅଟୋରେ ବସିଥିବା ସମସ୍ତେ ଗୁରୁତର ହୋଇଥିଲେ। ପ୍ରଥମେ ସେମାନଙ୍କୁ କଲମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭବାନୀପାଟଣା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ୩ଜଣଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ ସହିତ ଚାଳକଙ୍କୁ ସ୍ଥାନୀୟ ଚିଲଗୁଡା ଫାଣ୍ଡିରେ ଅଟକ ରଖାଯାଇଥିବା ପୋଲିସଠାରୁ ସୂଚନା ମିଳିଛି।