ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର ଅସୁସ୍ଥ

ଭୁବନେଶ୍ୱର,୨୯।୧୨(ବ୍ୟୁରୋ): ବରିଷ୍ଠ ଖ୍ୟାତନାମା ଓଡ଼ିଆ ସଙ୍ଗୀତଜ୍ଞ ଶାନ୍ତନୁ ମହାପାତ୍ର (୮୪) ଗୁରୁତର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସେ ନିମୋନିଆ ସହ ଅନ୍ୟ କେତେକ ରୋଗରେ ପୀଡିତ ଥିବା ସୂଚନା ମିଳିଛି। ରବିବାର ରାତିରେ ହଠାତ୍‌ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ପରିବାର ଲୋକେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିଲେ। ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଏବେ ଆଇସିୟୁରେ ରଖାଯାଇଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ମୁତାବକ, ନିମୋନିଆ ଯୋଗୁ ତାଙ୍କର ଫୁସ୍‌ଫୁସ୍‌ ସଂକ୍ରମିତ ହୋଇଛି। ଏହାସହ ତାଙ୍କର କିଡ୍‌ନୀ ମଧ୍ୟ ପ୍ରଭାବିତ ହୋଇଥିବା ଜଣାପଡିଛି। ମହାପାତ୍ରଙ୍କ ଅସୁସ୍ଥ ହେବା ଖବର ଜଣାପଡ଼ିବା ପରେ ଓଡ଼ିଆ ସଙ୍ଗୀତ ଓ ସାହିତ୍ୟ ଜଗତର ବରିଷ୍ଠ ବ୍ୟକ୍ତିତ୍ୱମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ୧୯୩୬ ନଭେମ୍ବରରେ ମୟୂରଭଞ୍ଜ ଜିଲା ବାରିପଦାରେ ଜନ୍ମ ହୋଇଥିବା ଶାନ୍ତନୁ ଏକାଧାରରେ ବହୁମୁଖୀ ପ୍ରତିଭାର ଅଧିକାରୀ। ୧୯୬୩ରେ ‘ସୂର୍ଯ୍ୟମୁଖୀ’ ଚଳଚ୍ଚିତ୍ରରୁ ଗୀତିକାର ଜୀବନ ଆରମ୍ଭ କରିଥିବା ଶାନ୍ତନୁ ୫୦ରୁ ଊର୍ଦ୍ଧ୍ୱ ଓଡ଼ିଆ ଚଳଚ୍ଚିତ୍ରରେ ୧୯୦୦ ଗୀତର ନିର୍ଦ୍ଦେଶନା ଦେଇଛନ୍ତି।

Share