ଭୁବନେଶ୍ୱର,୧୧।୨(ବ୍ୟୁରୋ): ପଞ୍ଚାୟତ ପରେ ପୌର ନିର୍ବାଚନ ହେବ । ଏଥର ପୌର ନିର୍ବାଚନରେ ଭୋଟ ଫାଇଁ ଇଭିଏମ୍ର ବ୍ୟବହାର କରାଯିବ। ସେଥିରେ ‘ଏନ୍ଓଟିଏ’ ନୋଟା ବିକଳ୍ପ ରଖାଯିବ ବୋଲି ଶୁକ୍ରବାର ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ବିଧାନସଭା ଓ ଲୋକସଭା ନିର୍ବାଚନରେ ‘ନୋଟା’ର ବ୍ୟବହାର ହୋଇଆସୁଛି। ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଇଭିଏମ୍ରେ ଶେଷ ପ୍ରାର୍ଥୀଙ୍କ ନାଁ ପରେ ‘ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ କେହି ନୁହନ୍ତି’ ବୋଲି ଉଲ୍ଲେଖ ରହିବ ଓ ତା’ ସହିତ ପ୍ରାର୍ଥୀଙ୍କ ଚିହ୍ନ ଭଳି ‘ନୋଟା’ ପାଇଁ ମଧ୍ୟ ଏକ ଚିହ୍ନ ରହିବ। ପୌର ନିର୍ବାଚନ ପାଇଁ ଗତକାଲି ରାଜ୍ୟ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିଲେ। ବୈଠକରେ ପୌରନିର୍ବାଚନରେ ଇଭିଏମ୍ ବ୍ୟବହାର କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା।