ପିଲାଙ୍କ ପୁଷ୍ଟି ଚିନ୍ତା: ମିଳିବ ହାପିନେସ୍‌ କିଟ୍‌

ଭୁବନେଶ୍ୱର,୧ା୨(ବ୍ୟୁରୋ): ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ହାପିନେସ୍‌ କିଟ୍‌। ଏଥିରେ ଅଟା, ଚଣା, ହଳଦୀଗୁଣ୍ଡ, ଡାଳଚିନି, ଚିନାବାଦାମ ଓ ଗୁଡ଼ ଭଳି ଇମ୍ୟୁନିଟି ବୁଷ୍ଟର ସାମଗ୍ରୀ ରହିବ। ପିଲାଙ୍କ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏହାଛଡ଼ା ପେନ୍‌, ପେନ୍‌ସିଲ, ନୋଟ୍‌ପ୍ୟାଡ୍‌, ସାନିଟାରି ନାପ୍‌କିନ, ଟୁଥ୍‌ ପେଷ୍ଟ ରହିବ। କରୋନା ସମୟରେ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଉନାହିଁ। ମା’ବାପାଙ୍କ ଆକାଉଣ୍ଟକୁ ଟଙ୍କା ଦିଆଯାଉଛି। ସ୍କୁଲକୁ ଆସିବା ପୂର୍ବରୁ ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ଲାଗି ଉକ୍ତ କିଟ୍‌ ପ୍ରଦାନ କରାଯିବ। ପ୍ରଥମ ପର୍ଯ୍ୟାୟରେ ନୟାଗଡ଼, ପୁରୀ, ଖୋର୍ଦ୍ଧା, କଟକ ଏବଂ ସୁନ୍ଦରଗଡ଼ ଜିଲାର ୧୯୧୬ ସ୍କୁଲର ୮୩ ହଜାର ପିଲାଙ୍କୁ ଏହି କିଟ୍‌ ଅକ୍ଷୟପାତ୍ର ଫାଉଣ୍ଡେଶନ ଜରିଆରେ ପ୍ରଦାନ କରାଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ସବୁ ସ୍କୁଲକୁ ଦିଆଯିବ। ଫେବୃୟାରୀ ପ୍ରଥମ ସପ୍ତାହରୁ ଏହି କିଟ୍‌ ବଣ୍ଟନ ଆରମ୍ଭ ହେବ।

Share