ଠାକୁରମୁଣ୍ଡା,୬।୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକ ଅଧୀନ ଖମଡିହା ପୁରୁଣାପାଣି ସାହିକୁ ରାସ୍ତା ନ ଥିବାରୁ ଶୁକ୍ରବାର ଜଣେ ଗର୍ଭବତୀଙ୍କୁ ଖଟିଆରେ ୧ କି.ମି ବୋହି ଆମ୍ବୁଲାନ୍ସ ନିକଟକୁ ନିଆଯାଇଥିଲା। ତେବେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ପିଲା ଜନ୍ମ ହୋଇଥିଲା। ପରେ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତର ତାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ପୁରୁଣାପଣି ସାହିର ବିଜୟ ମୁଣ୍ଡୁରୀଙ୍କ ସ୍ତ୍ରୀ ନମିତା ୬ ମାସର ଗର୍ଭବତୀ ଥିଲେ। ସ୍ବାମୀ ବିଜୟ ବାହାର ରାକ୍ୟକୁ କାମ କରିବାକୁ ଯାଇଥିବା ବେଳେ ତାଙ୍କ ପରିବାର ଲୋକ ଓ ପଡ଼ୋଶୀ ବିଲ କାମକୁ ପଳାଇ ଯାଇଥିଲେ। ଅପରାହ୍ନ ୨ଟା ସମୟରେ ନମିତା ଗର୍ଭ ଯନ୍ତ୍ରଣା ପାଇଥିଲେ। ପରିବାର ଲୋକେ ବିଲରୁ କାମ ସାରି ଆସିବା ପରେ ସନ୍ଧ୍ୟାରେ ତାଙ୍କୁ ଠାକୁରମୁଣ୍ଡା ସ୍ବାସ୍ଥ୍ୟକେନ୍ଦ୍ରକୁ ନେବା ପାଇଁ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ଗଁା ଭିତରକୁ ଯିବା ପାଇଁ ରାସ୍ତା ଭଲ ନ ଥିବାରୁ ୧ କି.ମି. ଦୂରରେ ଆମ୍ବୁଲାନ୍ସ ଅଟକି ରହିଥିଲା। ପରିବାର ଲୋକେ ଓ ପଡ଼ୋଶୀମାନେ ନମିତାଙ୍କୁ ଖଟିଆରେ ବୋହି ଆଣି ଆମ୍ବୁଲାନ୍ସ ପାଖରେ ପହଞ୍ଚାଇଥିଲେ। ବାଟରେ ଆମ୍ବୁଲାନ୍ସ ଭିତରେ ଶିଶୁ ଜନ୍ମ ହୋଇଥିଲା। ଜନ୍ମିତ ଶିଶୁର ଅବସ୍ଥା ଗୁରୁତର ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।