ଭୁବନେଶ୍ୱର,୫।୧(ବ୍ୟୁରୋ): ଜାନୁୟାରୀ ୨ରୁ ମାଷ୍ଟର ସେଫ ଇଣ୍ଡିଆ ଶୋ’ ଆରମ୍ଭ ହୋଇଛି। ଚଳିତବର୍ଷ ଏହି ଜାତୀୟ ଶୋ’ରେ ଓଡ଼ିଶାରୁ ଅବିନାଶ ପଟ୍ଟନାୟକ ଯୋଗଦେଇ କିଚେନକୁ ସିଧାସଳଖ ଏଣ୍ଟ୍ରି ପାଇଛନ୍ତି। ଓଡ଼ିଶାର ପ୍ରସିଦ୍ଧ ଗଇଣ୍ଠା ପିଠାକୁ ସ୍ବତନ୍ତ୍ର ଢ଼ଙ୍ଗରେ ପ୍ରସ୍ତୁତ କରି ଶୋ’ରେ ପ୍ରଥମ ସଫଳତା ପାଇଛନ୍ତି। ସେ ଏହି ପିଠାଗୁଡ଼ିକ ଗଢ଼ିଥିବାବେଳେ ହାଲୁକା ନୀଳ ରଙ୍ଗ ପାଇଁ ସେ ଅପରାଜିତା ଫୁଲର ରସକୁ ବ୍ୟବହାର କରିଛନ୍ତି। ସେହିପରି ଅନ୍ନପୂର୍ଣ୍ଣା ପତ୍ରର ବ୍ୟବହାର କାରଣରୁ ପିଠାର ବାସ୍ନା ଚୟନ ମଣ୍ଡଳୀକୁ ଆକୃଷ୍ଟ କରିପାରିଛି। ଲ୍ୟାଣ୍ଡସ୍କେପ୍ ଗାର୍ଡେନିଂରେ ପିଏଚଡି କରୁଥିବା ଅବିନାଶ କୃଷିଜାତ ପଦାର୍ଥର ବ୍ୟବହାର ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ପ୍ରୟାସ କରିଛନ୍ତି। ଏଥିପାଇଁ ସେ ନିଜେ ଅମଳ କରିଥିବା କୃଷିଜାତ ଦ୍ରବ୍ୟକୁ ତାଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟରେ ବ୍ୟବହାର କରିଛନ୍ତି। ଖାଦ୍ୟ ଉପଯୋଗୀ ଫୁଲ ଓ ଅନ୍ୟାନ୍ୟ ଦ୍ରବ୍ୟ ସାହଯ୍ୟରେ ସ୍ବାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରାଯାଇପାରିବ ବୋଲି ସେ ବାର୍ତ୍ତା ଦେଇଛନ୍ତି। ଶୋ’ରେ ଅଂଶ ଗ୍ରହଣ ପାଇଁ ଚୟନ ହୋଇଥିବା ୧୬ ପ୍ରତିଯୋଗୀଙ୍କ ମଧ୍ୟରେ ସେ ବର୍ତ୍ତମାନ ପ୍ରଥମ ପ୍ରତିଯୋଗୀ ଭାବେ କିଚେନ୍କୁ ଏଣ୍ଟ୍ରି ପାଇଛନ୍ତି। ଏଥର ଚୟନ ପ୍ୟାନେଲରେ ସେଫ ବିକାଶ ଖନ୍ନା, ରଣବୀର ବ୍ରାର ଓ ଗାରିମା ଅରୋରା ସଦସ୍ୟ ରହିଛନ୍ତି। ଅବିନାଶ ଭୁବନେଶ୍ୱରରେ ରହୁଥିବାବେଳେ ଭୁକଡ଼ ଇନସାନ୍ ନାମରେ ତାଙ୍କର ଏକ ସୋସିଆଲ ପେଜ ରହିଛି। ସେଥିରେ ସେ ବିଭିନ୍ନ ସ୍ବାଦିଷ୍ଟ ଖାଦ୍ୟ ବନାଇବା ସହ ଏହାର ଫଟୋ ଓ ପ୍ରସ୍ତୁତି ପ୍ରଣାଳୀ ଶେୟାର କରନ୍ତି। ସୂଚନାଯୋଗ୍ୟ, ପୂର୍ବରୁ ସିଜନ ୬ରେ ଓଡ଼ିଶାରୁ ଅବିନାଶ ନାୟକ ବିଜେତା ହୋଇଥିଲେ।