Categories: ଖେଳ

ଡାଲମିଆ, ଧୂମଲ ପୁନଃ ନିର୍ବାଚିତ

ନୂଆଦିଲ୍ଲୀ, ୨୬ା୯: ଗୋଆରେ ସୋମବାର ଅନୁଷ୍ଠିତ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ବାର୍ଷିକ ସାଧାରଣ ଅଧିବେଶନରେ ନିଆଯାଇଥିବା ଏକ ନିଷ୍ପତ୍ତି କ୍ରମେ ବେଙ୍ଗଲ କ୍ରିକେଟ ଆସୋସିଏଶନ (ସିଏବି) ସଭାପତି ଅଭିଷେକ ଡାଲମିଆ ଏବଂ ବର୍ତ୍ତମାନର ଆଇପିଏଲ୍‌ ଚେୟାରମ୍ୟାନ ଅରୁଣ ସିଂ ଧୂମଲ ଆଇପିଏଲ୍‌ ଗଭର୍ନିଂ କାଉନ୍‌ସିଲକୁ ପୁନଃ ନିର୍ବାଚିତ ହୋଇଛନ୍ତି। ଅମ୍ବୁଡ୍ସମ୍ୟାନ ତଥା ଏଥିକ୍ସ ଅଫିସରଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଛି। ସେ ୨୦୨୪ ଜୁନ୍‌ ପର୍ଯ୍ୟନ୍ତ ତାଙ୍କ ପଦବୀ ବଜାୟ ରଖିବେ। ବୈଠକରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆୟ ସମ୍ପର୍କରେ ଅବଗତ କରାଯାଇଥିଲା। ଏଣିକି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ବାର୍ଷିକ ଆୟର ୩୮ପ୍ରତିଶତରୁ ଅଧିକ ବିସିସିଆଇକୁ ମିଳିବ। ପରବର୍ତ୍ତୀ ଦ୍ୱିପାକ୍ଷିକ ସିରିଜ ଚକ୍ର (ସାଇକେଲ)ରୁ ମିଡିଆ ରାଇଟ ବାବଦରେ ମ୍ୟାଚ ପିଛା ଆୟ ୬୭ କୋଟି ଟଙ୍କା ହେବ। ବୈଠକରେ ଅନ୍ୟ କେତେକ ସ୍ବାଭାବିକ ନିଷ୍ପତ୍ତି ନିଆଯାଇଥିଲା। କ୍ରିକେଟ କମିଟି ଓ ସବ୍‌ କମିଟିଗୁଡ଼ିକ ଲାଗି ନାମ ତାଲିକା ପ୍ରସ୍ତୁତ କରିବା ଲାଗି କେତେଜଣ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା। ବୋର୍ଡ ସଦସ୍ୟମାନେ ଆହୁରି ମଧ୍ୟ ନୂଆ ବଜେଟ ଏବଂ ଗତ ଆର୍ଥିକ ବର୍ଷରେ ବିସିସିଆଇର ହୋଇଥିବା ଲାଭାଂଶ ବିଷୟରେ ଅବଗତ କରାଇଥିଲେ। ଭାରତର ପୂର୍ବତନ ବାମହାତୀ ସ୍ପିନର ପ୍ରଜ୍ଞାନ ଓଝା ଆପେକ୍ସ କାଉନ୍‌ସିଲରେ ଆଉ ଭାରତୀୟ କ୍ରିକେଟର୍ସ ଆସୋସିଏଶନ (ଆଇସିଏ)ର ପ୍ରତିନିଧି ରହିବେ ନାହିଁ। ଆଗକୁ ଆଇସିଏର ନିର୍ବାଚନ ହେବ। ଏଥିରେ ନୂଆ ପ୍ରତିନିଧି ବଛାଯିବେ। ନ୍ୟାଶନାଲ ସିଲେକ୍ସନ ପ୍ୟାନେଲରୁ ସଲିଲ ଆଙ୍କୋଲାଙ୍କୁ ବାଦ୍‌ ଦିଆଯିବା ସମ୍ପର୍କରେ ଶୁଣିବାକୁ ମିଳୁଥିଲା। କାରଣ ମୁଖ୍ୟ ଚୟନକର୍ତ୍ତା ରହିଥିବା ଅଜିତ ଅଗରକର ମଧ୍ୟ ମୁମ୍ବାଇର। ସେ ମଧ୍ୟ ପ୍ୟାନେଲରେ ରହିଛନ୍ତି। ବିସିସିଆଇରେ ରହିଥିବା ବ୍ୟବସ୍ଥା ଅନୁସାରେ ୫ଟି ଜୋନ୍‌ରୁ ୫ଜଣ ଚୟନକର୍ତ୍ତା ପ୍ରତିନିଧିତ୍ୱ କରିବା କଥା। ମାତ୍ର ଏଥର ପଶ୍ଚିମାଞ୍ଚଳରୁ ଦୁଇଜଣ ଅଛନ୍ତି। ଏଜିଏମ୍‌ରେ ଏବିଷୟରେ କୌଣସି ଆଲୋଚନା କରାଯାଇ ନ ଥିଲା।

Share