Categories: ଜାତୀୟ

କରୋନା ଟିକା ନେଇ ଲୋକଙ୍କୁ ମିଛ ଆଶା ଦିଅନ୍ତୁ ନାହିଁ ସରକାର

ନୂଆଦିଲ୍ଲୀ,୨।୯: ଭାରତରେ କରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ଟ୍ରାଏଲ୍‌ ଏବେ ଜାରି ରହିଛି। ଅଗଷ୍ଟ ୧୫ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ଏବେ ଭାରତରେ ଗୋଟିଏ ନୁହେଁ ୩ଟି ଟିକା ଟ୍ରାଏଲ୍‌ ପର୍ଯ୍ୟାୟରେ ଅଛି। ପ୍ରଧାନମନ୍ତ୍ରୀ ଲୋକଙ୍କୁ ଭରସା ଦେଇଥିଲେ ଯେ, ଚଳିତବର୍ଷ ଶେଷ ଆଡକୁ ଟିକା ଉପଲବ୍ଧ ହେବ। କିନ୍ତୁ ଭାରତର କିଛି ପ୍ରମୁଖ ସ୍ବାସ୍ଥ୍ୟ ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କ ଏହି କଥାରେ ସହମତ ନାହାନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ମିଳିତ ଟାସ୍କ ଫୋର୍ସ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି, ଆମେ ଭାବିବା ଉଚିତ ଯେ କରୋନା ଭୂତାଣୁ ପାଇଁ କୌଣସି ପ୍ରଭାବଶାଳୀ ଟିକା ଶୀଘ୍ର ମିଳିବ ନାହିଁ। ଏନେଇ ଲୋକଙ୍କ ମିଛି ଆଶ୍ୱାସନା ଦିଆ ନ ଯାଉ। ଭାରତୀୟ ଜନସ୍ବାସ୍ଥ୍ୟ ସଂଘ (ଆଇପିଏଚଏ), ଇଣ୍ଡିଆନ ଆସୋସିଏଶନ ଅଫ ପ୍ରିଭେଣ୍ଟିଭ ଆଣ୍ଡ ସୋସିଆଲ ମେଡିସିନ (ଆଇଏପିଏସ୍‌ଏମ୍‌) ଏବଂ ଇଣ୍ଡିଆନ ଆସୋସିଏଶନ ଅଫ ଏପିଡେମୋଲୋଜିଷ୍ଟ (ଆଇଏଇ)ର ବିଶେଷଜ୍ଞମାନେ ମିଳିତ ବିବୃତ୍ତି ଦେଇଛନ୍ତି। ସ୍ବାସ୍ଥ୍ୟ ବିଶେଷଜ୍ଞ ମିଳିତ ବିବୃତ୍ତିରେ କହିଛନ୍ତି ଯେ, ଭାରତରେ କରୋନା ଭୂତାଣୁ ନିୟନ୍ତ୍ରଣ କରିବାରେ ଏହି ଟିକାର କୌଣସି ଭୂମିକା ନାହିଁ। ଏହା ଧରି ନେବାକୁ ପଡ଼ିବ ଯେ ଆଗାମୀ ଦିନରେ କୌଣସି ପ୍ରଭାବଶାଳୀ ଟିକା ଉପଲବ୍ଧ ହେବ ନାହିଁ। ଆମେ ଏପରି ମିଥ୍ୟା ନିଶ୍ଚିତତାକୁ ଏଡ଼ାଇବା ଉଚିତ୍‌। ଯେତେବେଳେ ଆମର ଏକ ପ୍ରଭାବଶାଳୀ ଏବଂ ନିରାପଦ ଟିକା ଉପଲବ୍ଧ, ସେତେବେଳେ ଏହାକୁ ଡବ୍ଲୁଏଚ୍‌ଓ ରଣନୀତି ଅନୁଯାୟୀ ବଣ୍ଟାଯିବ।

Share