Categories: ବାଣିଜ୍ୟ

ପିଏନ୍‌ବି ପକ୍ଷରୁ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ୱର, ୧୭।୧୦: ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ସମ୍ବଲପୁର ମଣ୍ଡଳ କାର୍ଯ୍ୟାଳୟ ପକ୍ଷରୁ ରାଜଭାଷା ସମାରୋହ ଓ ପୁରସ୍କାର ବିତରଣ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏପରିକି ପିଏନ୍‌ବି ସମ୍ବଲପୁର ମଣ୍ଡଳର ମଣ୍ଡଳ ମୁଖ୍ୟ ଅଜିତ କୁମାର ମେହେରଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ରାଜଭାଷା ସମାରୋହ ଆୟୋଜିତ ହୋଇଥିଲା। ଏଥିରେ ହିନ୍ଦୀ ବିଚାର ସଂଗୋଷ୍ଠୀ ସହ ଚଳିତ ବର୍ଷ ସେପ୍ଟେମ୍ବରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ଅଜିତ ମେହେର ହିନ୍ଦୀ ଏବଂ କ୍ଷେତ୍ରୀୟ ଭାଷାରେ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ବ୍ୟାଙ୍କିଙ୍ଗ୍‌ ସେବା ସମ୍ବନ୍ଧରେ ଆଲୋଚନା କରିଥିଲେ। ସେହିଭଳି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମହାନଦୀ କୋଲ ଫିଲ୍ଡସ ଲିଃର ମହାପ୍ରବନ୍ଧକ ଏବଂ ନରାକାସ ସମ୍ବଲପୁରର ସଦସ୍ୟ ସଚିବ କୃଷ୍ଣ ମୁରାରୀ ପ୍ରସାଦ କ୍ଷେତ୍ରୀୟ ଏବଂ ବ୍ୟବସାୟିକ ଭାଷା ରୂପରେ ହିନ୍ଦୀ ଭାଷାର ପ୍ରାଧାନ୍ୟ ଉପରେ ବିସ୍ତୃତ ଆଲୋଚନା କରିଥିଲାବେଳେ ମୁଖ୍ୟ ବକ୍ତା ଶିକ୍ଷାବିତ୍‌ ଏବଂ ଓଡିଶା ଷ୍ଟେଟ୍‌ ଓପନ ୟୁନିଭର୍ସିଟି ସମ୍ବଲପୁରର ଅବସରପ୍ରାପ୍ତ କୁଳପତି ଡ. ଜୟନ୍ତ କର ଶର୍ମା ହିନ୍ଦୀ ଏବଂ ଓଡିଆ ଭାଷାର ପାରସ୍ପରିକ ସମ୍ବନ୍ଧ ଉପରେ ନିଜର ମତାମତ ରଖିଥିଲେ। ହିନ୍ଦୀ ମାସ-୨୦୨୩ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଏବଂ ହିନ୍ଦୀରେ ଶ୍ରେଷ୍ଠ କାର୍ଯ୍ୟ ସମ୍ପାଦନ କରିଥିବା ବିଭାଗଗୁଡିକୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ପରିଶେଷରେ ରାଜଭାଷାର ମୁଖ୍ୟ ପ୍ରବନ୍ଧକ ପାର୍ଥ ସାରଥୀ ମହାପାତ୍ର ସମାରୋହରେ ଉପସ୍ଥିତ ଅତିଥି ଏବଂ କର୍ମଚାରୀମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଅପରପକ୍ଷରେ ରାଜଭାଷାର ବରିଷ୍ଠ ପ୍ରବନ୍ଧକ ଆନନ୍ଦ କୁମାର ମିଶ୍ର ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Share