‘ଡାଲଚିନି’କୁ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ

ଭୁବନେଶ୍ୱର, ୨୯।୧୧ (ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ପୁଣି ଓଡ଼ିଶା ପାଇଁ ସୁନାମ ଆଣିଛି ଓଡ଼ିଆ ଚଳଚ୍ଚିତ୍ର। ରିତୁପ୍ରିୟା ପ୍ରଡକ୍ସନ୍ସର ଚଳଚ୍ଚିତ୍ର ‘ଡାଲଚିନି’କୁ ୭ମ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ସିମ୍‌ଲାରେ ‘ବେଷ୍ଟ ଫିଚର ଫିଲ୍ମ’ ଆଓ୍ବାର୍ଡ ମିଳିଛି। ଅତିଶ କୁମାର ରାଉତଙ୍କ ପ୍ରଯୋଜନାରେ ନିର୍ମିତ ଚଳଚ୍ଚିତ୍ରଟି ଫେଷ୍ଟିଭାଲରେ ବେଶ୍‌ ପ୍ରଶଂସା ସାଉଣ୍ଟିଛି। ଫେଷ୍ଟିଭାଲ ପାଇଁ ବିଶ୍ୱର ୧୭ ଦେଶରୁ ବିଭିନ୍ନ ଭାଷାର ପ୍ରାୟ ୫ଶହ ଚଳଚ୍ଚିତ୍ର ଆସିଥିଲା। ସେଥିରୁ ବେଷ୍ଟ ୫୮ ଚଳଚ୍ଚିତ୍ର ମନୋନୀତ ହୋଇଥିବାବେଳେ ‘ଡାଲ୍‌ଚିନି’ ଟାଇଟଲ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ପ୍ରଯୋଜକ ତଥା କାହାଣୀ, ସଂଳାପ ଓ ଚିତ୍ରନାଟ୍ୟ ନିର୍ଦ୍ଦେଶକ ଜିତେନ୍ଦ୍ରୀୟ ପ୍ରଧାନଙ୍କୁ ଟ୍ରଫି ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଛି।

ଯୁବକର ଭ୍ରମଣ କାହାଣୀକୁ ନେଇ ଚଳଚ୍ଚିତ୍ର ଗତିଶୀଳ ହୋଇଛି। ଏଥିରେ ଓଡ଼ିଶାର କେତେକ ପର୍ଯ୍ୟଟନସ୍ଥଳକୁ ପ୍ରଦର୍ଶିତ କରାଯାଇଛି। ଜଣେ ଝିଅ ଗାଇଡ୍‌ ସହିତ ଭ୍ରମଣରୁ କାହାଣୀ ଆରମ୍ଭ ହେବା ପରେ ସମୟ କ୍ରମେ ସେମାନଙ୍କ ମଧ୍ୟରେ କିପରି ପ୍ରେମ ଏବଂ ଅନ୍ୟାନ୍ୟ ଘଟଣା ଘଟୁଛି ତାହାକୁ ଖୁବ୍‌ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ଶିଶିର ସାହୁ ଓ ପିନାକୀ ସିଂଙ୍କ ନିର୍ଦ୍ଦେଶିତ ଏହି ପୂର୍ଣ୍ଣାଙ୍ଗ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶକ ଜେରୀ ସିଲ୍‌ବଭେଷ୍ଟର ଭିନ୍‌ସେନଟ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁପ୍ରିୟା ରାଉତଙ୍କ ସହପ୍ରଯୋଜନାରେ ନାୟକ ପାର୍ଥସରଥୀ ରାୟ ଓ ନାୟିକା ସୂର୍ଯ୍ୟମୟୀଙ୍କୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଏ ସମ୍ପର୍କରେ ପ୍ରଯୋଜକ ଅତିଶ କୁମାର କହିଛନ୍ତି, ଆମ ରାଜ୍ୟର ପର୍ଯ୍ୟଟନସ୍ଥଳୀକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚେଷ୍ଟା କରିଥିଲି, ଯାହାକି ସଫଳ ହୋଇଛି। ଏହା ଓଡ଼ିଶାର ଏକ ମାଇଲ ଖୁଣ୍ଟ ଚଳଚ୍ଚିତ୍ର ହୋଇ ରହିବ। କାର୍ଯ୍ୟକ୍ରମରେ ହିମାଳଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର, ଅର୍ବାନ ଡେଭଲପ୍‌ମେଣ୍ଟ, ଟାଉନ୍‌ ଆଣ୍ଡ୍‌ କଣ୍ଟ୍ରି ପ୍ଲାନିଂ ମନ୍ତ୍ରୀ ସୁରେଶ ଭରଦ୍ୱାଜ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବିଜୟ ଉପସ୍ଥିତ ଥିଲେ।

Share