ବାର୍ଷିକ ଖଣି ସୁରକ୍ଷା ସପ୍ତାହରେ ଓସିପିଏଲ୍‌ ପୁରସ୍କୃତ

ଭୁବନେଶ୍ୱର,୩।୯ (ଅଭୟ ଦାଶ): ଓଡ଼ିଶା କୋଲ୍‌ ଆଣ୍ଡ୍‌ ପାୱାର ଲିମିଟେଡ୍‌(ଓସିପିଏଲ୍‌) କୁ ନିକଟରେ ଆଉ ଏକ ସମ୍ମାନ ଓ ସ୍ବୀକୃତି ପ୍ରଦାନ କରାଯାଇଛି। ଓସିପିଏଲ୍‌ ପ୍ରଥମଥର ପାଇଁ ଖଣି ସୁରକ୍ଷା ନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌) ଏବଂ ମହାନାଦୀ କୋଲ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ବାର୍ଷିକ ଖଣି ସୁରକ୍ଷା ସପ୍ତାହ ଫର୍ଟ ନାଇଟ୍‌ ପ୍ରତିଯୋଗିତା-୨୦୨୨ରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଥିଲା। ଏପରିକି ଓସିପିଏଲ୍‌ର ମନୋହରପୁର କୋଇଲା ଖଣିଠାରେ ୨୦୨୨ ଡିସେମ୍ବର ୬ରୁ ୧୯ମଧ୍ୟରେ ବାର୍ଷିକ ଖଣି ସୁରକ୍ଷା ଫର୍ଟ ନାଇଟ୍‌ ପ୍ରତିଯୋଗିତା ପାଳନ କରାଯାଇଥିଲା,ଯେଉଁଥିରେ ଡିଜିଏମ୍‌ଏସ୍‌ର କାର୍ଯ୍ୟସୂଚୀ ଅନୁଯାୟୀ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକଳାପ କରାଯାଇଥିଲା। ସେହିଭଳି ଏକ ଉଚ୍ଚସ୍ତରୀୟ ସୁରକ୍ଷା ଦଳ ଓସିପିଏଲ୍‌ର ମନୋହରପୁର କୋଇଲା ଖଣି ଯାଞ୍ଚ ଏବଂ ମୂଲ୍ୟାଙ୍କନକରି ବାର୍ଷିକ ଖଣି ସୁରକ୍ଷା ପକ୍ଷ(ଫର୍ଟ ନାଇଟ୍‌) ପ୍ରତିଯୋଗିତା-୨୦୨୨ ବିଭିନ୍ନ ବିଭାଗରେ ପୁରସ୍କାର ପ୍ରଦାନ କରିଛନ୍ତି। ବିଶେଷକରି ଉକ୍ତ କାର୍ଯ୍ୟକ୍ରମରେ ଚୁକ୍ତିଭିତ୍ତିକ ବର୍ଗ ଅନ୍ତର୍ଗତ ମେଗା ଓପନ କାଷ୍ଟ ମାଇନ୍ସର ସାମଗ୍ରିକ ପ୍ରଦର୍ଶନରେ ଓସିପିଏଲ୍‌କୁ ବିଜେତା ଘୋଷଣା କରାଯାଇଛି। ଏଥିସହ ଗ୍ରୁପ୍‌ ଭୋକେଶନାଲ ଟ୍ରେନିଂ ସେଣ୍ଟର ପାଇଁ ଓସିପିଏଲ୍‌ର ମନୋହରପୁର କୋଇଲା ଖଣିକୁ ପ୍ରଥମ ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ସର୍ବୋତ୍ତମ ଆଲୋକୀକରଣ ଏବଂ ବୈଦ୍ୟୁତିକ ସଂସ୍ଥାପନ କ୍ଷେତ୍ରରେ ମଧ୍ୟ ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଛି। ଚୁକ୍ତିଭିତ୍ତିକ ବର୍ଗରେ ଓସିପିଏଲ୍‌ର ମାଇନ୍‌ ଅପରେଟର ବିଜିଆର୍‌ ମାଇନିଂ କମ୍ପାନୀକୁ ଶ୍ରେଷ୍ଠ ସ୍ବଚ୍ଛତା ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଛି। ଏହି ବାର୍ଷିକ ଖଣି ସୁରକ୍ଷା ପକ୍ଷ ପ୍ରତିଯୋଗିତାରେ ଓଡ଼ିଶାର ସମସ୍ତ କୋଇଲା ଖଣି ଯଥା ଓସିପିଏଲ୍‌, ଏମ୍‌ସିଏଲ୍‌,ଏନ୍‌ଟିପିସି ଏବଂ ଏନ୍‌ଏଲ୍‌ସିଆଇଏଲ୍‌ ପ୍ରମୁଖ ଭାଗ ନେଇଥିଲେ। ମନୋହରପୁର କୋଇଲା ଖଣି କର୍ମଚାରୀମାନେ ୨୦୨୨ ନଭେମ୍ବର୧୧ରେ ଲଖନପୁରଠାରେ ଆୟୋଜିତ ବାଣିଜ୍ୟ ପରୀକ୍ଷଣରେ ଅଂଶ ଗ୍ରହଣକରି ବିଜେତା ଘୋଷିତ ହୋଇଥିଲେ।

Share