Categories: ଖେଳ

ସୁପର କପ୍‌ ବିଜେତାକୁ ପୁରସ୍କାର ପ୍ରଦାନ

କଟକ,୬ା୭ (ସୁପ୍ରିୟା ପ୍ରିୟର୍ଶିନୀ): ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ବୁଧବାର ଫୁଟବଲ ଲିଗ୍‌ ଉଦ୍‌ଘାଟିତ ହୋଇଛି। ଫାଓ ଲିଗ୍‌ ନାମରେ ପରିଚିତ ଏହି ପ୍ରତିଯୋଗିତାର ପ୍ରଥମ ମ୍ୟାଚ ଓଡ଼ିଶା ପୋଲିସ ଓ ସ୍ପୋଟର୍‌ସ ଓଡ଼ିଶା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମ୍ୟାଚଟି ୪-୪ ଗୋଲରେ ଡ୍ର ରହିଥିଲା। ସ୍ପୋଟର୍‌ସ ଓଡ଼ିଶା ପକ୍ଷରୁ ରାଇସେନ ଟୁଡୁ ୧୩ ଓ ୨୮ତମ ମିନିଟରେ ୨ଟି ଏବଂ ଡି. ସଞ୍ଜୟ ୪୪ ଓ ରୋନିକ ମାଝି ୬୩ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଓଡ଼ିଶା ପୋଲିସ ଦଳର ଭୋଳେଶଙ୍କର ମାଝି ୨୬ ଓ ୩୨ ଏବଂ ବିଜୟ ବେହେରା ୪୮ ଓ ୭୧ତମ ମିନିଟରେ ୨ଟି ଲେଖାଏ ଗୋଲ ସ୍କୋର କରିଥିଲେ। ନିକଟରେ ଶେଷ ହୋଇଥିବା ଫାଓ ସୁପର କପ୍‌ର ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଚାମ୍ପିୟନ ରାଇଜିଂ ଷ୍ଟାର ଦଳକୁ ଟ୍ରଫି ସହ ୧,୦୦,୦୦୦ଟଙ୍କା ଏବଂ ରନରଅପ୍‌ ବିଡ଼ାନାସୀ ଦଳକୁ ୫୦,୦୦୦ଟଙ୍କା ପ୍ରଦାନ କରାଯାଇଥିଲା। କଟକ ଜିଲାପାଳ ଭବାନୀ ଶଙ୍କର ଚୟନି ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଫାଓ ସମ୍ପାଦକ ଆଶୀର୍ବାଦ ବେହେରା, ଉପସଭାପତି ବିଜୟ ଦାସ, ଦିଲୀପ କୁମାର ସାହୁ, କୋଷାଧ୍ୟକ୍ଷ ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ଅଭିଜିତ ପାଲ୍‌, ବିଶ୍ୱ ରଞ୍ଜନ ଘଡ଼େଇ, ଫାଓ ମହିଳା କମିଟି ଚେୟାରମ୍ୟାନ ସହଦେବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

Share