Categories: ବାଣିଜ୍ୟ

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସଚେତନତା ଅଭିଯାନ

ଭୁବନେଶ୍ୱର, ୫।୯: ଆର୍ସଲର ମିତ୍ତଲ ନିପ୍ପନ୍‌ ଷ୍ଟିଲ (ଏଏମଏନଏସ) ଇଣ୍ଡିଆ ପକ୍ଷରୁ ଏକ ଅଭିନବ ପଦକ୍ଷେପ ସାଙ୍ଗକୁ ଜନ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି। ବିଶେଷ କରି ଡେଙ୍ଗୁ ମଶାରୁ ମୁକ୍ତି ପାଇବା ଏବଂ ସ୍ଥାନୀୟ ଜନସାଧାରଣଙ୍କ ଉତ୍ତମ ସ୍ବାସ୍ଥ୍ୟ ଏବଂ କଲ୍ୟାଣ ନିମନ୍ତେ ପ୍ରୋଜେକ୍ଟ ଆରୋଗ୍ୟ ଅଧୀନରେ କମ୍ପାନୀ ପକ୍ଷରୁ ଡେଙ୍ଗୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ଏହି ଅଭିଯାନ କେନ୍ଦୁଝର ଜିଲା ବଡ଼ବିଲ ପୌରପାଳିକାର ୨ ଓ ୩ ନମ୍ବର ୱାର୍ଡ ଏବଂ ଦେଓଝର ଠାକୁରାଣୀ ଗ୍ରାମରେ ଆରମ୍ଭ କରାଯାଇଛି। ଏଥିସହିତ ଡେଙ୍ଗୁ ମଶା ଦାଉରୁ ରକ୍ଷା ପାଇବା ପାଇଁ ୧୦୦୦ ସ୍ବତନ୍ତ୍ର ମଶାରି ମଧ୍ୟ ବଣ୍ଟନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଏଏମଏନଏସ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଆର୍ସଲର ମିତ୍ତଲ ଠାକୁରାଣୀ ଲୁହାପଥର ଖଣିର ମହାପ୍ରବନ୍ଧକ ପ୍ରମୋଦ ମିଶ୍ର, ବଡବିଲ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା, ୱାର୍ଡ-୨ କାଉନସିଲର ବବିରାଣୀ ମହନ୍ତଙ୍କ ସମେତ କମ୍ପାନୀର କମ୍ୟୁନିଟି ସଦସ୍ୟ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଏକ ଡେଙ୍ଗୁ ସଚେତନତା ଭ୍ୟାନକୁ ଅତିଥିମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏ ସମ୍ପର୍କରେ ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ସିଏସଆର ମୁଖ୍ୟ ଡ.ବିକାଶ ୟାଦବେନ୍ଦୁ କହିଛନ୍ତି, କମ୍ପାନୀ କାର୍ଯ୍ୟକ୍ଷେତ୍ର ସହିତ ପାରିପାର୍ଶ୍ୱକ ସମ୍ପ୍ରଦାୟର କଲ୍ୟାଣ ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରୁଛି। ସେହିଭଳି ୱାର୍ଡ-୨ କାଉନସିଲର ବବିରାଣୀ ମହନ୍ତ, ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ପ୍ରୟାସ ଏବଂ ଗୋଷ୍ଠୀ ସ୍ବାସ୍ଥ୍ୟ ଓ କଲ୍ୟାଣରେ ଉନ୍ନତି ଆଣିବା ଦିଗରେ କମ୍ପାନୀର ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ। ବିଶେଷ କରି ମଶାଙ୍କ ପ୍ରଜନନକୁ ରୋକିବା ପାଇଁ ବ୍ୟକ୍ତିଗତସ୍ତର ଓ ଆଖପାଖ ଅଞ୍ଚଳରେ ସ୍ବଚ୍ଛତା ବଜାୟ ରଖିବାକୁ ସେ ଗ୍ରାମବାସୀଙ୍କୁ ଆହ୍ବାନ ଦେଇଛନ୍ତି।

Share