ସୁଧାର ଆଣିପାରିବ ସଚେତନତା

ଛେଣ୍ଡିପଦା, ୨୩।୧୧ (ସ୍ବ.ପ୍ର.): ବଢ଼ୁଛି ଅପମିଶ୍ରିତ ଖାଦ୍ୟ ପଦାର୍ଥ ବିକ୍ରି। ଖାଉଟିଙ୍କ ସ୍ବାସ୍ଥ୍ୟ ସହ ଖେଳୁଛନ୍ତି ଲାଭଖୋର ବ୍ୟବସାୟୀ। ମାପ ଓଜନରେ ମଧ୍ୟ ଠକାଯାଉଛି ଗ୍ରାହକଙ୍କୁ। ଏପରି ଅସାଧୁ ପ୍ରକ୍ରିୟା ଉପରେ ରୋକ୍‌ ଲଗାଇବାକୁ ପ୍ରଶାସନ ପକ୍ଷରୁ ବିବିଧ ଶୃଙ୍ଖଳା ଟିମ୍‌ ମାଧ୍ୟମରେ କରାଯାଉଛି ଯାଞ୍ଚ। ହେଲେ ନିୟମିତ ଚଢ଼ାଉ ହେଉ ନ ଥିବା ବେଳେ ଉଠାଦୋକାନୀ, କ୍ଷୁଦ୍ର ବ୍ୟବସାୟୀଙ୍କଠାରୁ ଅଧିକ ଜରିମାନା ଆଦାୟ କରାଯାଉଛି। ଏହାକୁ ବ୍ୟବସାୟୀମାନେ ନାପସନ୍ଦ କରିଛନ୍ତି। ବଡ଼ ବ୍ୟବସାୟ ପ୍ରତିଷ୍ଠାନରେ ଯାଞ୍ଚ ସହ ଛୋଟ ବ୍ୟବସାୟୀମାନଙ୍କୁ ସରକାରୀ ନୀତି ନିୟମ ସମ୍ପର୍କରେ ସଚେତନ କରାଗଲେ ସ୍ଥିତିରେ ସୁଧାର ଆସିପାରିବ ବୋଲି ଛେଣ୍ଡିପଦାର କେତେଜଣ ବ୍ୟବସାୟୀ ମତ ଦେଇଛନ୍ତି।
ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲ ଅଞ୍ଚଳରେ ମଙ୍ଗଳବାର ବିବିଧ ଶୃଙ୍ଖଳା ଟିମ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଅନୁଗୋଳ ଉପଜିଲାପାଳ ବୈତୁରା ଦୀପଙ୍କ ନିର୍ଦ୍ଦେଶରେ ଛେଣ୍ଡିପଦା ତହସିଲଦାର ଡାନିଏଲ ଏକ୍କା, ଯୋଗାଣ ବିଭାଗ, ଖାଦ୍ୟ ନିରାପତ୍ତା, ଓଜନ ମାପ ବିଭାଗ, ରାଜସ୍ବ ଓ ବନ ବିଭାଗ ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ଏହି ଟିମ୍‌ ଆଉଁଳି ନଦୀ ବାଲିଘାଟ, ଖମାର ଗ୍ରାମ ମୁଣ୍ଡରେ ଜଗି ରହି ବେଆଇନ ବାଲି ଓ ଇଟା ପରିବହନ କରୁଥିବା ଟ୍ରାକ୍ଟରଗୁଡ଼ିକୁ ଅଟକାଇ ଜରିମାନା ଆଦାୟ କରିଥିଲା। ଏଥିସହ ବାଗଡିଆ ବଜାରରେ ଥିବା ବିଭିନ୍ନ ଦୋକାନ ଚଢାଉ କରିଥିଲା। ଅସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ହେଉଥିବାରୁ କେତେଜଣ ଦୋକାନୀଙ୍କଠାରୁ ଜରିମାନା ହୋଇଥିଲା। ଏହାକୁ ସାଧାରଣ ଖାଉଟି ସ୍ବାଗତ କରିଥିଲେ। ଏପରି ଚଢ଼ାଉକୁ ନିୟମିତ କରିବାକୁ ଦାବି କରିଥିଲେ। ସେହିପରି ଜରିମାନା ଆଦାୟ ପୂର୍ବରୁ ସରକାରୀ ଆଇନ ସମ୍ପର୍କରେ ସଚେତନ କରାଗଲେ ଏହାର ପ୍ରକୃତ ସୁଫଳ ଲୋକଙ୍କୁ ମିଳନ୍ତା ବୋଲି ବ୍ୟବସାୟୀମାନେ କହିଛନ୍ତି।