କଟକ ଅଫିସ,୭ା୭: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୪୫,୦୯୧ ଛାତ୍ରୀଛାତ୍ର ଅନୁପସ୍ଥିତ ରହିଥିଲେ। ତେବେ କାହିଁକି ଅନୁପସ୍ଥିତ ରହିଲେ, ତାହା କେବଳ ସେମାନେ ହିଁ କହିପାରିବେ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ା ବୁଧବାର ୨୦୨୧-୨୨ ଶିକ୍ଷାବର୍ଷର ପରୀକ୍ଷା ଫଳ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ପ୍ରକାଶ ପାଇଛି। ଚଳିତ ବର୍ଷ ପାସ୍ ହାର ୯୦.୫୫ ପ୍ରତିଶତ ରହିଛି ା ପରୀକ୍ଷା ପାଇଁ ସମୁଦାୟ ୫ ଲକ୍ଷ, ୭୧ ହଜାର ୯୦୯ ଜଣ ପରୀକ୍ଷାର୍ଥତ୍ ଫର୍ମପୂରଣ କରିଥିଲେ। ଆଉ ସେଥିରୁ ୪୫ ହଜାର ୯୧ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇ ନାହାନ୍ତି ବୋଲି ମନ୍ତ୍ରୀ ଦାଶ କହିଛନ୍ତି। ମୟୂରଭଞ୍ଜ ଜିଲାରୁ ସର୍ବାଧିକ ୪,୪୯୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି। ସେହିପରି ଦ୍ୱିତୀୟରେ ଗଞ୍ଜାମରେ ୩,୩୩୨, ତୃତୀୟରେ ବଲାଙ୍ଗୀରରେ ୩,୨୧୮, ଚତୁର୍ଥରେ ବାଲେଶ୍ୱରରେ ୨,୮୦୩ ଏବଂ ପଞ୍ଚମରେ କେନ୍ଦୁଝରରେ ୨,୭୨୦ ପିଲା ରହିଛନ୍ତି। ହେଲେ ଏତେ ସଂଖ୍ୟକ ପିଲା କାହିଁକି ପରୀକ୍ଷା ଦେଇ ନାହାନ୍ତି ସେ ନେଇ କୌଣସି ଉତ୍ତର ଦେବାକୁ ମନ୍ତ୍ରୀ ମନା କରିଦେଇଛନ୍ତି।
ସୂଚନାଥାଉକି ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ସରିବା ପରେ ପ୍ରକୃତ କେତେ ସଂଖ୍ୟକ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିଲେ ସେ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଅନୁପସ୍ଥିତ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରକୃତ ତଥ୍ୟ ଆମ ନିକଟରେ ନାହିଁ ବୋଲି କହି ବୋର୍ଡ ଏହାକୁ ଏଡ଼ାଇ ଦେଇଥିଲା। ଏପରି କି ପରୀକ୍ଷା ଫଳ ବାହାରିବା ଦିନ ପ୍ରକୃତ ସଂଖ୍ୟା ଜଣା ପଡ଼ିବ ବୋଲି ବୋର୍ଡ ପକ୍ଷରୁ ପରେ କୁହାଯାଇଥିଲା। ତେବେ ଫଳ ବାହାରିବା ପରେ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର କାହିଁକି ଅନୁପସ୍ଥିତ ରହିଲେ ସେନେଇ ମନ୍ତ୍ରୀ କୌଣସି ମନ୍ତବ୍ୟ ଦେବାକୁ ମନା କରିବା ସହ ଏହି ପ୍ରଶ୍ନର ଉତ୍ତର ଏଠାରେ ଦେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ। ତେବେ ଦୁଇ ବର୍ଷ ହେବ କୋଭିଡ୍ କାରଣରୁ ଅନେକ ପିଲା ଶିକ୍ଷା ଛାଡ଼ି ଅନେକ କାର୍ଯ୍ୟରେ ନିୟୋଜିତ ହେବା ସହ ଅନେକ ଦାଦନ ଖଟିବାକୁ ଚାଲିଯାଉଥିବା କୁହାଯାଉଛି।