‘ସଚେତନତା ହିଁ ଚିକିତ୍ସା’

କଟକ ଅଫିସ, ୧।୧୨: ଏଡ୍‌ସ ଏକ ଭୂତାଣୁଜନିତ ରୋଗ। ଏଚ୍‌ଆଇଭି ଭାଇରସ୍‌ ଏହି ରୋଗ ସଂକ୍ରମଣର କାରଣ। ରାଜ୍ୟରେ ଅକ୍ଟୋବର ୨୦ ସୁଦ୍ଧା ପ୍ରାୟ ୫୨ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି ା ସେଥିମଧ୍ୟରୁ ଗଞ୍ଜାମରେ ସର୍ବାଧିକ ଓ ପରେ ଅନୁଗୋଳ, ବାଲେଶ୍ୱର, ବଲାଙ୍ଗୀର, ଭଦ୍ରକ, କୋରାପୁଟ ଓ ଖୋର୍ଦ୍ଧା ଜିଲାରେ ଅଧିକ ସଂଖ୍ୟାରେ ସଂକ୍ରମିତ ଅଛନ୍ତି। ଏହି ରୋଗର ସଚେତନତା ବଢିଥିବାରୁ କ୍ରମଶଃ ରାଜ୍ୟରେ ପ୍ରତିବର୍ଷ ସଂକ୍ରମିତଙ୍କ ସଂଖ୍ୟା କମିଛି ା ପ୍ରତିବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ୍‌ସ ଦିବସ ଭାବେ ପାଳନ କରାଯାଏ ା ଚଳିତବର୍ଷର ଥିମ୍‌ ରହିଛି ‘ବିଶ୍ୱ ଏକତା ଏବଂ ସହଭାଗୀ ଦାୟିତ୍ୱ’ ା ଏହି ପରିପ୍ରେକ୍ଷୀରେ ରାଜ୍ୟର ୩୦ ଜିଲାରୁ ଏକା ସାଙ୍ଗରେ ସଚେତନତା ରଥ ବାହାରିବ। ଏହା ବ୍ୟତୀତ ସରକାରଙ୍କ ପକ୍ଷରୁ ବାଲୁକା କଳା, ଲୋକନୃତ୍ୟ, ବସ୍‌ରେ ଷ୍ଟିକରିଂ, ଜନଗହଳି ସ୍ଥାନରେ ହୋର୍ଡିଂ ଆଦି ଲଗାଯାଇ ଲୋକଙ୍କୁ ସଚେତନ କରାଯାଉଛି ା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଏଡ୍‌ସ ପାଇଁ ଚିକିତ୍ସା କିମ୍ବା ଟିକା ନାହିଁ ା କେବଳ ସଚେତନତା ହିଁ ଚିକିତ୍ସା ବୋଲି ଏସ୍‌ସିବି ମେଡିକାଲ ଭେଷଜ ବିଭାଗର ମୁଖ୍ୟ ପ୍ରଫେସର ଡା. ଜୟନ୍ତ ପଣ୍ଡା କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ମେଡିକାଲ କଲେଜ ଓ ଜିଲା ଚିକିତ୍ସାଳୟଗୁଡିକରେ ଆଣ୍ଟି ରେଟ୍ରୋଭାଇରାଲ ଥେରାପି ସେଣ୍ଟର ଖୋଲାଯାଇଛି। ଏହିସବୁ କେନ୍ଦ୍ରରେ ସଂକ୍ରମିତଙ୍କ ରୋଗ ପ୍ରତିରୋଧକ ଶକ୍ତି ନିୟନ୍ତ୍ରଣ କରାଯିବା ସହ ରୋଗର ସଫଳ ପରିଚାଳନା କରାଯାଇପାରୁଛି ା ବର୍ତ୍ତମାନ ଆମର ଲକ୍ଷ୍ୟ ହେଉଛି ରାଜ୍ୟରେ ସଂକ୍ରମିତ ଓ ଏଡ୍‌ସଜନିତ ମୃତ୍ୟୁସଂଖ୍ୟାକୁ ଶୂନ କରିବା। ଏହି ଉଦ୍ଦେଶ୍ୟ ସଫଳ କରିବାକୁ ହେଲେ ୪ଟି ବିଷୟ (ବିଶୋଧନ ହୋଇ ନ ଥିବା ଛୁଞ୍ଚତ୍ କିମ୍ବା ସିରିଞ୍ଜ ବ୍ୟବହାର ନ କରିବା, ଅସୁରକ୍ଷିତ ଯୌନ ସମ୍ପର୍କ ନ ରଖିବା, ବିଶୋଧନ ହୋଇ ନ ଥିବା ରକ୍ତ ଗ୍ରହଣ ନ କରିବା ଓ ସଂକ୍ରମିତ ମା’ଠାରୁ ଗର୍ଭସ୍ଥ ଶିଶୁକୁ ସଂକ୍ରମଣ ବ୍ୟାପିବାକୁ ନ ଦେବା) ପ୍ରତି ସଞ୍ଜମତା ରକ୍ଷା କରାଯିବା ଆବଶ୍ୟକ ବୋଲି ପ୍ରଫେସର ପଣ୍ଡା କହିଛନ୍ତି ା

Share