ବିଭିନ୍ନ ଶାରୀରିକ ସମସ୍ୟା ନେଇ ସଚେତନ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ତେଣୁ କୁହାଯାଇଥାଏ ସଚେତନତା ହିଁ ପ୍ରକୃତ ନିଦାନ। ସ୍ବାସ୍ଥ୍ୟ ସମସ୍ୟାରୁ ଦୂରେଇ ରହିବା ପାଇଁ ଜାତୀୟ ଟିକାକରଣ ଦିବସ ପ୍ରତିବର୍ଷ ମାର୍ଚ୍ଚ ୧୬ରେ ପାଳନ କରାଯାଇଥାଏ। ଜନସ୍ବାସ୍ଥ୍ୟରେ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ ହୋଇଥାଏ। ୧୯୯୫ରେ ଏହି ଦିନ, ଭାରତରେ ପ୍ରଥମ ପୋଲିଓ ବୁନ୍ଦା ଦିଆଯାଇଥିଲା। ପରଠାରୁ ଏହି ଦିନକୁ ପ୍ରତିବର୍ଷ ଜାତୀୟ ଟିକାକରଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ସଂକ୍ରାମକ ରୋଗର ବିସ୍ତାରକୁ ରୋକିବା ପାଇଁ ପ୍ରତିଷେଧକ ବ୍ୟବସ୍ଥା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସଂକ୍ରମଣକୁ ନିୟନ୍ତ୍ରଣ ଏବଂ ବିଲୋପ କରିବା ପାଇଁ ଏହା ଏକ ଉପକରଣ ଭାବରେ କାର୍ଯ୍ୟ କରିଥାଏ। ସାଧାରଣ ଜନତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ସୁସ୍ଥ ଜୀବନଯାପନ ଦୃଷ୍ଟିରୁ ସେମାନଙ୍କ ମାନ ବୃଦ୍ଧି କରିବା ଜରୁରୀ।
ଇତିହାସରେ ଟିକାକରଣ ବିଷୟରେ ବହୁ ତଥ୍ୟ ଉଲ୍ଲେଖ କରାଯାଇଛି। ୧୭୦୦ ଦଶକରେ ଏହା ଆରମ୍ଭ ହୋଇଥିଲା ବୋଲି କୁହାଯାଏ। ଏଡୱାର୍ଡ ଜେନେର୍, ଜଣେ ଇଂଲିଶ ଚିକିତ୍ସକ ତଥା ବୈଜ୍ଞାନିକ ପ୍ରଥମ ଟିକା ପ୍ରତିଷ୍ଠାତା ଭାବରେ ବିବେଚିତ ହୋଇଥିଲେ। ସେ ୧୭୯୬ମସିହାରେ ଜଣେ ୧୩ବର୍ଷର ଶିଶୁକୁ କାଓପକ୍ସ ଏବଂ ବସନ୍ତର ଟ୍ରାଏଲ ଟିକା ଦେଇଥିଲେ। ପରେ ଏହି ଟିକା ପ୍ରଥମେ ୧୭୯୮ ମସିହାରେ ବିକଶିତ ହୋଇଥିଲା।
ଅଷ୍ଟାଦଶ ଏବଂ ଊନ୍ନବିଂଶ ଶତାବ୍ଦୀ ମଧ୍ୟରେ ବସନ୍ତ ପାଇଁ ବ୍ୟାପକ ଟିକାକରଣ କରାଯାଇଥିଲା। ଟିକାକରଣ ଦ୍ୱାରା ୧୯୭୯ରେ ବସନ୍ତର ବିଲୋପ ହୋଇଥିଲା। ସେହିଭଳି, ଲୁଇ ପାଶ୍ଚରଙ୍କ ଦ୍ୱାରା କରାଯାଇଥିବା ପରୀକ୍ଷଣ ଊନ୍ନବିଂଶ ଶତାବ୍ଦୀରେ କଲେରା ବିରୋଧରେ ଟିକାକରଣରେ ସାହାଯ୍ୟ କରିଥିଲା । ସେହିଭଳି, ପରବର୍ତ୍ତୀ ବର୍ଷଗୁଡ଼ିକରେ ବିଭିନ୍ନ ଟିକା ବିକଶିତ କରାଯାଇଥିଲା।
୧୯୪୦ରୁ ୧୯୬୦ ଦଶକରେ ମିଳିମିଳା, ମମ୍ପସ ଏବଂ ରୁବେଲା ଆଦି ଟିକା ବିକଶିତ କରାଯାଇଥିଲା। ଏସବୁ ଏମ୍ଏମ୍ଆର୍ ଟିକା ଭାବେ ଜଣାଶୁଣା। ବିଗତ କିଛିବର୍ଷ ମଧ୍ୟରେ, ଆହୁରି ଗୁରୁତ୍ୱପୂର୍ଣ୍ଣ ବିକାଶ ଘଟିଥିଲା ଯାହା ଉନ୍ନତ ଟିକା ପ୍ରଯୁକ୍ତିବିଦ୍ୟା ସହିତ ଟିକା ଜଗତରେ ବ୍ୟାପକ ଅଗ୍ରଗତି କରିଥିଲା।
ଟିକା ପ୍ରସ୍ତୁତିରେ ସଦ୍ୟତମ ବିକାଶ ଉଦାହରଣ ଭାବେ କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୋଭିଡ୍-୧୯ ଟିକାକରଣ କରାଯାଇ କୋଟି କୋଟି ଲୋକଙ୍କ ଜୀବନ ରକ୍ଷା କରାଯାଇ ପାରିଛି। ଜାତୀୟ ଟିକାକରଣ ଦିବସ ଅବସରରେ ଏନେଇ ସଚେତନତା ସୃଷ୍ଟି ଲାଗି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ।