ସଚେତନତା ହିଁ ନିଦାନ

ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ବିଶ୍ୱ ମଶା ଦିବସ ପାଳନ କରାଯାଇଥାଏ। ଏହା ବ୍ରିଟିଶ୍‌ ଡାକ୍ତର ସାର୍‌ ରୋନାଲ୍ଡ ରସ୍‌ଙ୍କ ଆବିଷ୍କାରର ଏକ ସ୍ମୃତି ଦିବସ ।
୧୮୯୭ ମସିହାରେ ମାଈ ଆନୋଫିଲିସ୍‌ ମଶା ମଣିଷଙ୍କ ମଧ୍ୟରେ ମ୍ୟାଲେରିଆ ସଂକ୍ରମଣ କରୁଥିବା ଜଣାପଡିଥିଲା। ଆବିଷ୍କାର ପୂର୍ବରୁ ସଂକ୍ରମଣକାରୀ ମାଧ୍ୟମ, ଭେକ୍ଟର, ରୋଗର ବିସ୍ତାରକୁ ନିୟନ୍ତ୍ରଣ କରିବା ପାଇଁ ଅଳ୍ପ କିଛି ମାଧ୍ୟମ ଥିଲା। ଯଦିଓ କ୍ୱିନାଇନ ଆବିଷ୍କାର ଚିକିତ୍ସା ସମସ୍ୟାକୁ ଦୂର କରିଦେଇଥିଲା ।
ଏକ ସର୍ବେକ୍ଷଣ ମୁତାବକ, ଊନବିଂଶ ଶତାବ୍ଦୀରେ ବିଶ୍ୱର ପାଖାପାଖି ଅଧା ଲୋକ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ପ୍ରତିଶତଙ୍କ ମୃତ୍ୟୁ ହୋଇଥିଲା।
ରସ ୧୮୯୪ରେ ପକ୍ଷୀ ମ୍ୟାଲେରିଆ ପ୍ରୋଟୋସେମା ରିଲିକଟମ ଦ୍ୱାରା ସଂକ୍ରମିତ ପକ୍ଷୀମାନଙ୍କ ଉପରେ କୁଲେକ୍ସ ସହିତ ପରୀକ୍ଷଣ କରିସାରିଥିଲେ ଏବଂ ଉଲ୍ଲେଖନୀୟ ସଫଳତା ପାଇଥିଲେ । ଏହାପରେ ୧୮୯୫ ଅଗଷ୍ଟ ୨୦ ତାରିଖରେ ଏହାର ବାର୍ଷିକୀକୁ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଇଥିଲା ।
ଏହାକୁ ସେବେଠାରୁ ପ୍ରତିବର୍ଷ ଏହି ଦିନକୁ ବିଶ୍ୱ ମଶା ଦିବସ ଭାବେ ପାଳନ କରାଯାଉଛି। ଏହି ଅବସରରେ ମ୍ୟାଲେରିଆଠାରୁ ଦୂରେଇ ରହିବାକୁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଏ । କାରଣ ସଚେତନତା ହିଁ ପ୍ରକୃତ ନିଦାନ ବୋଲି ଏହି ଅବସରରେ ବାର୍ତ୍ତା ପ୍ରସାର କରାଯାଇଥାଏ।
ମ୍ୟାଲେରିଆ ଏକ ପରଜୀବୀ ରୋଗ। ପରଜୀବୀ ବା ପାରାସାଇଟ୍ର ନଁା ‘ପ୍ଲାଜମୋଡିୟମ’, ଯାହା ଥାଏ ମ୍ୟାଲେରିଆ ରୋଗୀ ରକ୍ତରେ। ମାଈ ଆନୋଫିଲିସ ମଶା ରୋଗୀକୁ କାମୁଡି ରକ୍ତ ଶୋଷିଲେ ଏହା ମଶାର ପେଟ ଭିତରକୁ ଚାଲିଯାଏ। ଏହି ସଂକ୍ରମିତ ମଶା ସୁସ୍ଥ ଲୋକଙ୍କୁ କାମୁଡିଲେ ମଶାର ରକ୍ତ ଓ ଲାଳ ସୁସ୍ଥ ଲୋକର ରକ୍ତ ଭିତରକୁ ଚାଲିଯାଇ ତାକୁ ରୋଗାକ୍ରାନ୍ତ କରିପକାଏ। ପ୍ଲାଜମୋଡିୟମ ଫାଲାସିପାରମ ହେଉଛି ଅତି ମାରାତ୍ମକ। ଏହାର ବେଳହୁଁ ଚିକିତ୍ସା ନ କଲେ ରୋଗୀର କିଡ୍‌ନୀ ଅକାମୀ ହୋଇପଡେ ଓ ମସ୍ତିଷ୍କ ଆକ୍ରାନ୍ତ ହୋଇ ରୋଗୀ ଅଚେତ ହୋଇ ଶେଷରେ ମରିଯାଏ। ରୋଗୀଠାରୁ ମାତ୍ର ଏକବୁନ୍ଦା ରକ୍ତ ନେଇ ପରୀକ୍ଷା କଲେ ମ୍ୟାଲେରିଆ ହୋଇଛି କି ନାହିଁ ତାହା ଜଣାପଡିଯାଏ। ଯେପରିକି ମାଈ ଆନୋଫିଲିସ ମଶା ଦ୍ୱାରା ମ୍ୟାଲେରିଆ, ମାଈ ଏଡିସ୍‌ ମଶାଦ୍ୱାରା ଡେଙ୍ଗୁ, ମାଈ କ୍ୟୁଲେକ୍ସ ମଶା ଦ୍ୱାରା ବାତଜ୍ୱର ଏବଂ ଅନ୍ୟ ମଶା ଦ୍ୱାରା କଳାଜ୍ୱର, ଜାପାନୀ ଏନ୍‌ସାଫାଇଲେଟିସ ଜ୍ୱର ଇତ୍ୟାଦି ହୋଇଥାଏ। ତେଣୁ ମଶାର ଜୀବନଚକ୍ରକୁ ଅନୁଧ୍ୟାନ କରି ମଶା ବଂଶବୃଦ୍ଧି ରୋକାଯିବା ଆବଶ୍ୟକତା ଜରୁରୀ।

Share