ସଚେତନତା ଲୋଡ଼ା

ଡା. ସତ୍ୟକାମ ମହାପାତ୍ର

 

ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ରିପୋର୍ଟ ମୁତାବକ ସାରା ବିଶ୍ୱରେ ପ୍ରତିବର୍ଷ ଦଶ ଲକ୍ଷ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଅର୍ଥାତ୍‌ ପ୍ରତି ଦିନ ୩,୦୦୦ ଲୋକ ଆତ୍ମହତ୍ୟା କରି ମୃତ୍ୟୁବରଣ କରୁଛନ୍ତି। ଯେତେ ଲୋକ ଆତ୍ମହତ୍ୟା କରୁଛନ୍ତି, ତାହାର କୋଡ଼ିଏ ଗୁଣ ଲୋକ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଭାରତ ବର୍ଷରେ ଆତ୍ମହତ୍ୟା ଏକ ଗମ୍ଭୀର ସାମାଜିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ରୂପରେ ପରିଗଣିତ। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଭାରତରେ ଆତ୍ମହତ୍ୟାର ହାର ବୃଦ୍ଧି ପାଇବାରେ ଲାଗିଛି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ର ସଦ୍ୟତମ (୨୦୨୧) ରିପୋର୍ଟ ଅନୁସାରେ, ଗତବର୍ଷ ୧ ଲକ୍ଷ ୬୪ ହଜାର ଲୋକ ଆତ୍ମହତ୍ୟା କରିଛନ୍ତି। ପୂର୍ବ ବର୍ଷ ଅପେକ୍ଷା ୨୦୨୧ରେ ଆତ୍ମହତ୍ୟା ୭.୧% ବୃଦ୍ଧି ପାଇଛି। ଭାରତରେ ଆତ୍ମହତ୍ୟାର ପ୍ରମୁଖ କାରଣଗୁଡ଼ିକ ହେଲା ପାରିବାରିକ କଳହ (୩୩.୨%), ବିଭିନ୍ନ ରୋଗ (ମାନସିକ ରୋଗ, ବିଭିନ୍ନ ଦୁରାରୋଗ୍ୟ) (୧୮.୬%), ବିଭିନ୍ନ ନିଶାଦ୍ରବ୍ୟ ସେବନ(୬.୪%), ବୈବାହିକ ସମ୍ପର୍କରେ ତିକ୍ତତା (୪.୮%), ପ୍ରେମ ସମ୍ପର୍କରେ ବିଫଳତା (୪.୬%), ଆର୍ଥିକ ସଙ୍କଟ (୪%), ବେରୋଜଗାରୀ (୨%), ପରୀକ୍ଷାରେ ଖରାପ ପ୍ରଦର୍ଶନ, ଚାକିରିଜନିତ ସମସ୍ୟା ଆଦି।
ଆମ ଦେଶରେ ଯୁବବର୍ଗ (୧୮-୩୦ବର୍ଷ) ମଧ୍ୟରେ ଆତ୍ମହତ୍ୟା ସର୍ବାଧିକ (୩୪.୫%) ଦେଖାଦେଉଛି। ପାଖାପାଖି ୧୧ ହଜାର ୧୮ ବର୍ଷରୁ କମ୍‌ ପିଲା ଏବଂ କିଶୋର କିଶୋରୀମାନେ ୨୦୨୧ରେ ଆତ୍ମହତ୍ୟା କରିଛନ୍ତି। ୧୫ରୁ ୨୪ ବର୍ଷ ବୟସ ଭିତରେ ଯୁବବର୍ଗର ମୃତ୍ୟୁର ପ୍ରମୁଖ କାରଣ ହେଲା ଆତ୍ମହତ୍ୟା। ସାରା ବିଶ୍ୱର ଯୁବକ ଓ ଯୁବତୀମାନଙ୍କ ମଧ୍ୟରୁ ଭାରତୀୟ ଯୁବକ ଓ ଯୁବତୀମାନେ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା କରିଥା’ନ୍ତି। ଯୁବବର୍ଗରେ ଆତ୍ମହତ୍ୟା ବୃଦ୍ଧି ପାଇବାର ପ୍ରମୁଖ କାରଣଗୁଡ଼ିକ ହେଲା ଅଭିଭାବକଙ୍କ ଆଶାନୁଯାୟୀ ପରୀକ୍ଷାରେ ଅଧିକ ନମ୍ବର ରଖିବାର ଚାପ, ପ୍ରେମ ସମ୍ପର୍କରେ ଅସଫଳ, ଭଲ ଚାକିରି ନ ପାଇବା, ଚାକିରି କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟଭାର ଆଦି।
ଏନ୍‌ସିଆର୍‌ବି ରିପୋର୍ଟ ଅନୁସାରେ, ୨୦୨୧ରେ ୧୩,୦୮୯ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଏକ ସରକାରୀ ରିପୋର୍ଟ ଅନୁସାରେ, ଗତ ୫ ବର୍ଷ ମଧ୍ୟରେ ଉଚ୍ଚ ଶିକ୍ଷା ନେଉଥିବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଆତ୍ମହତ୍ୟା ହାର ବଢ଼ିଛି। ଏଥିମଧ୍ୟରୁ ୩୩ ଛାତ୍ରୀଛାତ୍ର ବିଭିନ୍ନ ଆଇଆଇଟି, ୬୧ ଜଣ ବିଭିନ୍ନ ଆଇଆଇଏମ୍‌ ଓ ଏନ୍‌ଆଇଟିରେ ଏବଂ ୧୧୯ ଡାକ୍ତରୀ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଗତ କିଛି ମାସ ହେବ ରାଜସ୍ଥାନର କୋଟା ସହର, ଯାହାକି ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ପାଇଁ ସାରା ଭାରତରେ ଜଣାଶୁଣା; ସେଠାରେ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଛି। ଏହି ବର୍ଷ ଏବେ ସୁଦ୍ଧା ପାଖାପାଖି ୨୪ ଜଣ ମେଡିକାଲ ଓ ଇଞ୍ଜିନିୟରିଂ କୋଚିଂ ନେଉଥିବା ବିଦ୍ୟାର୍ଥୀ ଆତ୍ମହତ୍ୟା କରି ସାରିଲେଣିି, ଯାହାକି ସାରା ଦେଶକୁ ସ୍ତବ୍ଧ କରିଦେଇଛି। ସାଧାରଣତଃ ପ୍ରବେଶିକା ପରୀକ୍ଷାର କିଛି ଦିନ ପୂର୍ବ ଓ କିଛି ଦିନ ପର ପର୍ଯ୍ୟନ୍ତ ସମୟ ମଧ୍ୟରେ ଏହି ଆତ୍ମହତ୍ୟା ଦେଖାଦେଇଥାଏ। କେବଳ ଯେ ପରୀକ୍ଷାର ଚାପ ଯୋଗୁ ପିଲାମାନେ ଆତ୍ମହତ୍ୟା କରୁଛନ୍ତି ତାହା ନୁହେଁ, ବରଂ ଏସବୁ ପାଇଁ ଆଉ କେତେକ କାରଣ ଦାୟୀ। ପିଲାମାନଙ୍କ ମଧ୍ୟରେ ଏବେ କ୍ୟାରିୟର ପ୍ରତିଯୋଗିତା ବହୁ ପରିମାଣରେ ବୃଦ୍ଧି ପାଇଛି। ନିଜ ପରିବାରଠାରୁ ଦୂରେଇ ରହି କୋଚିଂ ନେବାର ଚାପ ଯୋଗୁ ପିଲାମାନେ ମାନସିକ ଦୁଶ୍ଚିନ୍ତାର ସମ୍ମୁଖୀନ ହେଉଛନ୍ତି। ମାତ୍ରାଧିକ ସୋସିଆଲ ମେଡିଆର ବ୍ୟବହାର ଯୋଗୁ ଏକାଗ୍ରତା କମୁଛି। ଫଳରେ ସେମାନଙ୍କର ସ୍ମରଣ ଶକ୍ତି ହ୍ରାସ ପାଇବା ସହ ପାଠପଢ଼ାରେ ମଧ୍ୟ ନକାରାତ୍ମକ ପ୍ରଭାବ ପଡୁଛି। କିଛି ପିଲା ଏସବୁ ମାନସିକ ଦୁଶ୍ଚିନ୍ତା ଯୋଗୁ ହତୋତ୍ସାହିତ ହୋଇ ତାହାକ୍‌ୁ ମୁକାବିଲା କରିପାରୁନାହାନ୍ତି। ଯେହେତୁ ସେମାନେ ପରିବାରଠାରୁ ଦୂରେଇ ରହୁଛନ୍ତି, ତେଣୁ ନିଜ ମନର ଭାବନାକୁ ଅନ୍ୟ କାହାକୁ ଜଣାଇ ପାରୁନାହାନ୍ତି। ସେଥିମଧ୍ୟରୁ କିଛି ଛାତ୍ରୀଛାତ୍ର ନିଜ ମନର ଭାବନା ଓ ଆବେଗକୁ ଠିକ୍‌ ଭାବରେ ନିୟନ୍ତ୍ରଣ କରିପାରୁନାହାନ୍ତି, ଯାହା ଫଳରେ ସେମାନେ ଆତ୍ମହତ୍ୟା କରୁଛନ୍ତି।
ଆତ୍ମହତ୍ୟା କରିବାର ଯଥେଷ୍ଟ ପୂର୍ବରୁ ବ୍ୟକ୍ତି ଏହା ସମ୍ବନ୍ଧରେ ନିଜ ନିକଟତର ଲୋକଙ୍କୁ କିଛିନା କିଛି ପ୍ରାକ୍‌ ସୂଚନା ଦେଇଥାଏ। ଯେଭଳି କି ବ୍ୟକ୍ତି ଅନ୍ୟମାନଙ୍କ ସହ ମିଳାମିଶା କରେ ନାହିଁ, ଏକୁଟିଆ ରହିବାକୁ ବେଶୀ ପସନ୍ଦ କରିଥାଏ, ନିଜର ଦୈନନ୍ଦିନ କାମ ଠିକ୍‌ ଭାବେ କରେ ନାହିଁ, ରାତିରେ ଅନିଦ୍ରା ରହେ, ଖାଦ୍ୟ ଖାଇବା କମିଯାଏ, ଅତି ଛୋଟ ଛୋଟ କଥାରେ ଭାବବିହ୍ବଳ ହୋଇଯାଏ, କାନ୍ଦିପକାଏ, ପରିବାରର ଲୋକଙ୍କ ସହିତ ଜୀବନ ଓ ମୃତ୍ୟୁ ବିଷୟରେ ଆଲୋଚନା କରେ, ଇଣ୍ଟରନେଟ୍‌ରୁ ଆତ୍ମହତ୍ୟା ବିଷୟରେ ସର୍ଚ୍ଚ କରେ। ଯଦି ପରିବାରର କୌଣସି ଲୋକଠାରେ ଏସବୁ ଲକ୍ଷଣ ଆପଣ ଦେଖନ୍ତି, ତେବେ ଆପଣ ତୁରନ୍ତ ତାଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ନିଅନ୍ତୁ। ଯେଉଁ ବ୍ୟକ୍ତିମାନେ ପୂର୍ବରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଏବଂ ଯେଉଁମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଉଛି, ସେମାନଙ୍କୁ ଉଚ୍ଚମାନର ମାନସିକ ଚିକିତ୍ସା ପ୍ରଦାନ କରିବା ଜରୁରୀ। ଏଥିପାଇଁ ମନସ୍ତାତ୍ତ୍ୱିକ ଚିକିତ୍ସା ବା କାଉନ୍‌ସେଲିଂ, ଦରକାର ପଡ଼ିଲେ କିଛି ଔଷଧ ମଧ୍ୟ ଦିଆଯାଇଥାଏ। ଯେଉଁ ରୋଗୀମାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା ଅଧିକ ଦେଖାଦେଇଥାଏ କିମ୍ବା ସେମାନେ ଆତ୍ମହତ୍ୟା ଉଦ୍ୟମ କରିଥା’ନ୍ତି, ସେତେବେଳେ ଏହି ବ୍ୟକ୍ତିମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ଦରକାର ପଡ଼ିଥାଏ।
ଯଦି ପରିବାରର କୌଣସି ବ୍ୟକ୍ତିଠାରେ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ, ତେବେ ତାଙ୍କର ସମ୍ପର୍କୀୟମାନେ ତାଙ୍କ ମନର ଭାବନା ଓ ସମସ୍ୟା ସମ୍ବନ୍ଧରେ ଜାଣିବା ପାଇଁ ଚେଷ୍ଟା କରନ୍ତୁ। ତା’ ମନରେ ଉତ୍ସାହ ବଢ଼ାଇଲା ଭଳି କଥାବାର୍ତ୍ତା କରନ୍ତୁ। ତାଙ୍କ ବ୍ୟବହାର ଉପରେ ନଜର ରଖନ୍ତୁ। ବ୍ୟକ୍ତିକୁ କେବେ ବି ଏକୁଟିଆ ଛାଡ଼ନ୍ତୁ ନାହିଁ। ନିଜ ମନରେ ଆତ୍ମହତ୍ୟାର ଚିନ୍ତା ଆସିଲେ ଆପଣ ନିଜ ମନକଥା ନିକଟତର ଲୋକଙ୍କୁ ଜଣାନ୍ତୁ। ନିଜର ଅସୁବିଧା ସମ୍ବନ୍ଧରେ ଅନ୍ୟମାନଙ୍କ ସହିତ ବିଚାରବିମର୍ଶ କରନ୍ତୁ। ଏହି ସମୟରେ ଅନ୍ୟମାନଙ୍କର ସାହାଯ୍ୟ ନେବାକୁ କୁଣ୍ଠାବୋଧ କରନ୍ତୁ ନାହିଁ। ଭାବପ୍ରବଣ ହୋଇ ହଠାତ୍‌ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଏହି ସମୟରେ ଧୈଯ୍ୟର ସହିତ ସମସ୍ତ କାମ କରନ୍ତୁ।
ଯୁବତୀ ଯୁବକମାନେ ନିଜ ମଧ୍ୟରେ ଆତ୍ମବିଶାସ ଓ ଆତ୍ମସଞ୍ଜମତା ବଢ଼ାଇବା ଉଚିତ। ଏହାଛଡ଼ା ସକାରାତ୍ମକ ମନୋଭାବ ନେଇ ସମସ୍ତ କାମ କରିବା ଦରକାର। ଜୀବନରେ ଦେଖାଦେଉଥିବା ଅସୁବିଧାଗୁଡ଼ିକୁ ସମାଧାନ କରିବାର କୌଶଳ ଶିଖନ୍ତୁ। ସମାଜରେ ଅନ୍ୟମାନଙ୍କ ସହିତ ଖାପଖୁଆଇ ଚଳିବାର କୌଶଳ ଶିଖନ୍ତୁ। ଏହାସହ ଛାତ୍ରୀଛାତ୍ରମାନେ ନିଜର ପାଠପଢ଼ାକୁ ଯୋଜନାବଦ୍ଧ ଭାବରେ କରିବା ଉଚିତ। ଫଳରେ ପରୀକ୍ଷାରେ ଭଲ କରିପାରିବେ ଓ ପାଠପଢ଼ାର ମାନସିକ ଚାପ ମଧ୍ୟ କମି ପାରିବ।
ପ୍ରତିବର୍ଷ ସେପ୍ଟେମ୍ବର ୧୦ରେ ବିଶ୍ୱ ଆତ୍ମହତ୍ୟା ନିରୋଧୀ ଦିବସ ପାଳନ କରାଯାଇଥାଏ। ଏହି ଦିବସର ପ୍ରମୁଖ୍ୟ ଲକ୍ଷ୍ୟ ହେଲା- ଲୋକମାନଙ୍କ ମଧ୍ୟରେ ଆତ୍ମହତ୍ୟା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ଓ ଆତ୍ମହତ୍ୟା ସହିତ ଗଭୀର ଭାବେ ଜଡ଼ିତ ମାନସିକ ସମସ୍ୟା ସମ୍ବନ୍ଧରେ ଲୋକଙ୍କୁ ଅବଗତ କରିବା। ଆତ୍ମହତ୍ୟାର କାରଣଗୁଡିକ କ’ଣ, ଆତ୍ମହତ୍ୟା ପ୍ରବଣତା ଦେଖାଦେଲେ କ’ଣ କରିବା ଉଚିତ, ଆତ୍ମହତ୍ୟାକୁ କିପରି ରୋକାଯାଇ ପାରିବ, ଏ ସମ୍ବନ୍ଧରେ ଲୋକମାନଙ୍କୁ ଜଣାଇବା ଏହି ଦିବସର ଲକ୍ଷ୍ୟ। ଏହାଛଡ଼ା ଆତ୍ମହତ୍ୟା ବିଷୟରେ ସମାଜରେ ପ୍ରଚଳିତ ନିନ୍ଦା, ଅପବାଦ ଓ କଳଙ୍କମାନଙ୍କୁ ଦୂର କରିବା। ଯଦି ଆମେ ସମସ୍ତେ ଆତ୍ମହତ୍ୟା ପ୍ରତି ସଚେତନ ରହିବା, ତେବେ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରାଯାଇପାରିବ।
ମାନସିକ ରୋଗ ବିଶେଷଜ୍ଞ, କଟକ
ମୋ: ୮୪୫୬୯୧୫୫୦୬