
ନୂଆପଡ଼ା,୪ା୪ (ମକାରୁ ବେମାଲ): ଓଡ଼ିଆ ପକ୍ଷ ପାଳନ ଅବସରରେ ଶୁକ୍ରବାର ଖରିଆର ରୋଡ୍ ଏନ୍ଏସି ଓ ଜିଲା ଶ୍ରମ ବିଭାଗ ମିଳିତ ଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଜିଲା ଶ୍ରମ ଅଧିକାରୀ ରବୀନ୍ଦ୍ର ବାର୍ଲା ଓ ଏନ୍ଏସି ନିର୍ବାହୀ ଅଧିକାରୀ କମଳାସନ ରଥଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ଜିଲା ଶ୍ରମ ବିଭାଗ କର୍ମଚାରୀ, ଏନ୍ଏସି କର୍ମଚାରୀ, ସ୍ବେଚ୍ଛାସେବୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ସାମିଲ ହୋଇ ଓଡ଼ିଆରେ ନାମଫଳକ ଲଗାଇବା ପାଇଁ ବାର୍ତ୍ତା ଦେଇଥିଲେ। ଏନ୍ଏସି ଅଧ୍ୟକ୍ଷା ସୋନିଆ ଜୈନ ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଖରିଆର ରୋଡ୍ ଛତିଶଗଡ଼ ସୀମାନ୍ତରେ ଥିବାରୁ ପ୍ରତ୍ୟେକ ଦୋକାନ ତଥା ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ହିନ୍ଦୀ ଭାଷାରେ ନାମ ଫଳକ ଲେଖାହୋଇଛି ା ତେଣୁ ପ୍ରତ୍ୟେକ ଦୋକାନ ଓ ପଡ଼ାକୁ ଯାଇ ଓଡ଼ିଆ ଭାଷାରେ ନାମ ଫଳକ ଲଗାଇବା ପାଇଁ ସଚେତନ କରାଯାଇଥିଲା ା ଏନ୍ଏସି ଉପାଧ୍ୟକ୍ଷ ନିଶାନ୍ତ ଡାଗା ଓ ଅସିତ କୁମାର ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ା