କୋରୁକୋଣ୍ଡା ୨୪ା୮(ଅବିନାଶ ବେହେରା): ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ଯୋଗାଇ ଦିଆଯାଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ କେତେକ ସ୍ଥାନରେ ନିୟମ ଉଲ୍ଲଂଘନ କରାଯାଉଥିବା ନଜିର ରହିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନ ଏମ୍ଭି-୩୧ ଗ୍ରାମରେ ମଧ୍ୟ ନିୟମ ଉଲ୍ଲଂଘନ କରି ସରକାରୀ ଜମିରେ ତିଆରି ଚାଲିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ। ଫଳରେ ଏ ବିଷୟରେ ପ୍ରଶାସନ ପାଖରେ ଖବର ନାହିଁ।
ସୀମାରେଖା ତଳେ ବସବାସ କରୁଥିବା ହିତାଧିକାରୀଙ୍କୁ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। କୋରୁକୋଣ୍ଡା ବ୍ଲକ ଅଧୀନରେ ଥିବା ୧୨ ପଞ୍ଚାୟତରେ ୩୫୬୭ ହିତାଧିକାରୀଙ୍କୁ ବାସଗୃହ ଯୋଗାଇ ଦିଆଯାଇଥିବା ବେଳେ ସେଥିରୁ କୋରୁକୋଣ୍ଡା ବ୍ଲକ ସଦର ପଞ୍ଚାୟତ ଅଧୀନରେ ଥିବା ୪୯୬ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ନିୟମ ଅନୁଯାୟୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ପାଇବା ପାଇଁ ଯୋଗ୍ୟ ହିତାଧିକାରୀଙ୍କ ସମସ୍ତ ନଥିପତ୍ର ସହିତ ଅନ୍ୟାନ୍ୟ ନିୟମ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ତଦନ୍ତ କରିବା ପରେ ଉକ୍ତ ହିତାଧିକାରୀଙ୍କୁ ଯୋଗ୍ୟ ବିବେଚିିତ କରି ଆବାସ ଯୋଜନା ୱାର୍କ ଅଡର ଦିଆଯାଉଛି। ଯେଉଁ ହିତାଧିକାରୀଙ୍କୁ ଅଧିକାରୀମାନେ ଚିହ୍ନଟ କରିଛନ୍ତି ସେମାନଙ୍କ ମଧ୍ୟରେ କେତେକଙ୍କର ନିଜସ୍ବ ଘରବାଡ଼ି ଥିବା ବେଳେ ସେମାନେ ସରକାରଙ୍କ ତରଫରୁ ପାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଅନ୍ୟତ୍ର ସରକାରୀ ଜମିରେ ନିର୍ମାଣ କରୁଛନ୍ତି ବୋଲି ଗ୍ରାମବାସୀ କହିଛନ୍ତି। ଯଦି କୌଣସି ହିତାଧିକାରୀଙ୍କର ନିଜ ଜାଗା ନାହଁି ତେବେ ରାଜସ୍ବ ବିଭାଗ ତାଙ୍କୁ ଘର ପାଇଁ ଜାଗା ଯୋଗାଇ ଦେବ। ହେଲେ ଏଠି ନିଜ ଘରବାଡ଼ି ଥିଲେ ମଧ୍ୟ ଗୃହ ପାଇଥିବା ହିତାଧିକାରୀ ସରକାରୀ ଜମିରେ ଆବାସ ନିର୍ମାଣ କରୁଛନ୍ତି।
ଏନେଇ କୋରୁକୋଣ୍ଡା ଆର୍ଆଇ ପ୍ରଦୀପ କୁମାର ବରାଡଙ୍କୁ ପଚାରିବାରୁ ମୋ ପାଖରେ ଏନେଇ କୌଣସି ଖବର ନାହିଁ । ଯଦି ଏମିତି କିଛି ହୋଇଛି ତେବେ ଅନୁଧ୍ୟାନକରି ପଦକ୍ଷେପ ଗ୍ରହଣ କରାଯିବ। ସେହିପରି ସରକାରଙ୍କ ତରଫରୁ ଆବାସ ପାଇଥିବା କେତେଜଣ ହିତାଧିକାରୀଙ୍କ ନିଜ କୋଠାଘର ରହୁଥିବା ବେଳେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମଧ୍ୟ ଘର ପାଇଛନ୍ତି। ଏମିତି କେତେଜଣ ହିତାଧିକାରୀ ରହିଛନ୍ତି ବିବାହ ପରେ ଅନ୍ୟ ଗ୍ରାମକୁ ପଳାଇଥିଲେ ମଧ୍ୟ ତାଙ୍କ ନାମ ଆବାସ ଯୋଜନା ତାଲିକାରେ ରହିଥିବା ଗ୍ରାମବାସୀ କହିଛନ୍ତି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଉକ୍ତ ଗ୍ରାମରେ ଦୀର୍ଘଦିନ ଧରି ଗୋଟିଏ ପରିବାର ନିଜର ଉତ୍ତରାଧିକାରୀ କେହି ନ ଥିବାରୁ ବୃଦ୍ଧ ଦମ୍ପତି ବହୁ ଅସୁବିଧାରେ ଚଳୁଥିଲେ ମଧ୍ୟ କୌଣସି ଅଧିକାରୀଙ୍କ ଦୃଷ୍ଟି ପଡୁନାହିଁ। ଉକ୍ତ ଦମ୍ପତିଙ୍କର ଗତ ବର୍ଷ ବର୍ଷାଦିନେ ଘର କାନ୍ଥ ପଡ଼ିଯିବାରୁ ସେମାନେ ସରକାରଙ୍କ ତରଫରୁ ମିଳିଥିବା ଆଦର୍ଶ ଗୁହାଳ ଘରେ ରହୁଛନ୍ତି। ହେଲେ କୌଣସି ସ୍ଥାନୀୟ ନେତା କିମ୍ବା ଅଧିକାରୀଙ୍କ ଦୃଷ୍ଟି ନ ପଡିବା ଦୁଃଖର ବିଷୟ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଆମେ କୋରୁକୋଣ୍ଡା ପଞ୍ଚାୟତ ନିର୍ବାହୀ ଅଧିକାରୀ ସୁରେଶ ଚନ୍ଦ୍ର ସାହୁଙ୍କୁ ପଚାରିବାରୁ ଉକ୍ତ ଗ୍ରାମକୁ ତଦନ୍ତ ପାଇଁ ଯାଇଥିବା ଅଧିକାରୀଙ୍କ ସହିତ ଆଲୋଚନା ପରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି। ଗ୍ରାମର ଆବାସ ନିର୍ମାଣ ସମସ୍ୟା ନିମନ୍ତେ କୋରୁକୋଣ୍ଡା ବିଡିଓ ବେଦବ୍ୟାସ ଭୋଇଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ ତୁରନ୍ତ ଅଧିକାରୀଙ୍କୁ ପଠାଇ ତଦନ୍ତକରି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ ।