Categories: ଜାତୀୟ

ଏହି ତାରିଖ ଦିନ ସୁପ୍ରିମକୋର୍ଟରେ ହେବ ଓ୍ବକ୍‌ଫ ଶୁଣାଣି

ନୂଆଦିଲ୍ଲୀ,୧୦।୪: ଓ୍ବକ୍‌ଫ ସଂଶୋଧନ ଆଇନ, ୨୦୨୫ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରି ଦାଏର ହୋଇଥିବା ପିଟିଶନଗୁଡ଼ିକର ଏକତ୍ର ଶୁଣାଣି ସୁପ୍ରିମକୋର୍ଟରେ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ।

ପ୍ରଧାନ ବିଚାରପତି ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ସଞ୍ଜୟ କୁମାର ଏବଂ କେ.ଭି. ବିଶ୍ୱନାଥନଙ୍କୁ ନେଇ ଗଠିତ ଖଣ୍ଡପୀଠ ପିଟିଶନଗୁଡ଼ିକର ଶୁଣାଣି କରିବେ। ଓ୍ବକ୍‌ଫ ସଂଶୋଧନ ଆଇନର ସାମ୍ବିଧାନିକ ବୈଧତାକୁ ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ’ ବୋର୍ଡ(ଏଆଇଏମ୍‌ପିଏଲ୍‌ବି) ସର୍ବୋଚ୍ଚ ଅଦାଲତରେ ଚ୍ୟାଲେଞ୍ଜ କରିଥିଲା। ଏହା ବ୍ୟତୀତ ଆପ୍‌ ନେତା ଅମାନତୁଲ୍ଲା ଖାନ୍‌, ଆର୍‌ଜେଡି ନେତା ମନୋଜ କୁମାର ଝା, ଅଞ୍ଜୁମ୍‌ କାଡାରି, ତାଇୟାବ ଖାନ୍‌ ସଲମାନି, ମହମ୍ମଦ ଶାଫି, ମହମ୍ମଦ ଫଜଲୁରହିମ, ଅର୍ଶାଦ ମଦାନଙ୍କ ସମେତ ଆସୋସିଏଶନ ଫର୍‌ ଦି ପ୍ରୋଟେକ୍ସନ ଅଫ୍‌ ସିଭିଲ୍‌ ରାଇଟ୍ସ ଏବଂ ସମସ୍ତ କେରଳ ଜାମିଆତୁଲା ଉଲେମା ମଧ୍ୟ ସଂଶୋଧିତ ଆଇନକୁ ବିରୋଧ କରି ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ପାର୍ଲାମେଣ୍ଟରେ ଦୀର୍ଘ ବିତର୍କ ପରେ ଓ୍ବକ୍‌ଫ ସଂଶୋଧନ ବିଲ୍‌ ଗୃହୀତ ହୋଇଥିଲା। ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିବା ପରେ ଓ୍ବକ୍‌ଫ ସଂଶୋଧନ ଆଇନ କାର୍ଯ୍ୟକାରୀ ହେବା ନେଇ ଗତ ମଙ୍ଗଳବାର କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ।

Share