ପୁରୀ ଅଫିସ,୧୯।୪: ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହିଦିନଠାରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ସହ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅକ୍ଷୟତୃତୀୟା ତିଥିରେ ବାହାର ଚନ୍ଦନଯାତ୍ରା ପାଇଁ ଶ୍ରୀ ରାମକୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଏବଂ ବିମାନକୁ ବିଜେ କରିବା ପରେ ୩ବାଡ଼ରୁ ୩ଜଣ ପୂଜାପଣ୍ଡା ବିଜେ କରାଇ ଆଣିଥିବା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟକୁ ବିଜେ କରିବେ। ସେହିପରି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧି ବିଧାନ ଅନୁଯାୟୀ ଧୁଆଯାଇ ରଖାଯାଇଥାଏ। ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥଖଳାରେ ବନଯାଗ ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରାଯାଇଥାଏ। ତେବେ ଶ୍ରୀମନ୍ଦିରରୁ ୩ଜଣ ପୂଜାପଣ୍ଡା ଆଜ୍ଞାମାଳ ଧରି ରଥ ନିର୍ମାଣକାରୀ ବିଶ୍ୱକର୍ମା ମହାରଣା, ରୂପକାର, ଓଝା ଏବଂ ଭୋଇ ସେବକମାନଙ୍କ ଶାଢି ବନ୍ଧା ନୀତି ପଟଜୋଷୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳ କାରଣ ସମାପନ କରିଥାନ୍ତି। ଏହାପରେ ରଥତ୍ରୟ ନିର୍ମାଣ ଶୁଭାନୁକୂଳ ନିମନ୍ତେ ପୂଜା ପାଇଁ ରଖାଯାଇଥିବା ତିନିଗୋଟି ଧଉରା କାଠରେ ଆଜ୍ଞାମାଳ ଲାଗିହେବ। ପରେ ତିନି ରଥର ମୁଖ୍ୟ ମହାରଣାମାନଙ୍କ ଦ୍ୱାରା ଉକ୍ତ ତିନିଗୋଟି କାଠରେ ଅସ୍ତ୍ର ଛୁଆଁ କରାଯାଇ ରଥ କାଠ ଅନୁକୂଳ ନୀତି କରାଯାଇଥାଏ। ତେବେ ଅକ୍ଷୟତୃତୀୟାକୁ ଆଉ ୫ ଦିନ ଥିବା ହେତୁ କାଠ ଅନୁକୂଳ ପାଇଁ ବ୍ୟବହୃତ ହେଉଥିବା ଲୁହା କୁରାଢିକୁ ମଙ୍ଗଳବାର ଶ୍ରୀମନ୍ଦିର ଓଝା ସେବକ ନିର୍ମାଣ କରିଛନ୍ତି। ବଳଭଦ୍ର ବାଡର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣାଙ୍କ କହିବା ଅନୁଯାୟୀ, ଅକ୍ଷୟତୃତୀୟାରେ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ଅନୁକୂଳ ସମୟରେ ସୁନା, ରୁପା ସହ ଲୁହା କୁରାଢି ବ୍ୟବହାର କରାଯାଇଥାଏ। ବ୍ୟବହାର ହେଉଥିବା ୩ଟି ଲୁହା କୁରାଢିକୁ ସେ ଓ ତାଙ୍କ ପୁଅ ମିଶିି ନିର୍ମାଣ କରିଛନ୍ତି। ସେ ୨୦୦୮ରୁ ମହାପ୍ରଭୁଙ୍କ ସେବା କରିଆସଛନ୍ତି। କୁରାଢ଼ି ନିର୍ମାଣ କରିବାକୁ ତାଙ୍କୁ ୨ଦିନ ଲାଗିଥିଲା। ନିର୍ମାଣ ପରେ ସେ ତାକୁ ନାଜରକୁ ହସ୍ତାନ୍ତର କରିବେ ବୋଲି ଜଗନ୍ନାଥ ମହାରଣା କହିଛନ୍ତି।