Categories: ଖେଳ

ଭାରତ ପାଇଁ ଖେଳିବାକୁ ତ ସୁଯୋଗ ମିଳୁଛି ଭାବି ନିଜକୁ ବୁଝାଇ ଦିଏ: ଅକ୍ଷର ପଟେଲ

ହରାରେ,୨୩।୮: ଦୁଇଟି ମ୍ୟାଚ୍‌ ଖେଳି ଦଳରୁ ବାଦ୍‌ ପଡ଼ିଲେ ଖେଳାଳିଙ୍କୁ କଷ୍ଟ ହୋଇଥାଏ। ହେଲେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ଅକ୍ସର ପଟେଲ ତାଙ୍କୁ ମିଳୁଥିବା ପ୍ରତ୍ୟେକ ସୁଯୋଗକୁ ପୁଞ୍ଜି କରି ରଖିବାକୁ ଚାହୁଁଛନ୍ତି। ୨୦୧୪ରୁ ଦିନିକିଆ କ୍ରିକେଟରେ ୫୦ରୁ ଅଧିକ ଉଇକେଟ ନେଇଥିବା ସତ୍ତ୍ୱେ ଅକ୍ଷର ଦଳରେ ସ୍ଥାନ ପକ୍କା କରିପାରୁନାହାନ୍ତି। ଏବେ ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଦିନିକିଆରେ ୧୩ ରନ୍‌ରେ ବିଜେତା ହେବା ପରେ ସେ ନିଜର ମନକଥା କହିଛନ୍ତି।

ଅକ୍ଷର କହିଛନ୍ତି, ଏହା ପରେ ପୁଣି ଦୁଇ ନଚେତ ତିନି ମ୍ୟାଚ୍‌ ଖେଳି ବାହାରେ ବସିବାକୁ ହେବ। ଏହା କଠିନ। କିନ୍ତୁ ମୁଁ ନିଜକୁ ବୁଝାଏ ଯେ ମୋ ପାଇଁ ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ କେବଳ ଏହି ସୁଯୋଗ ରହିଛି। ଯଦି ମୁଁ ଭଲ ଖେଳିଲି ତେବେ ଆଗାମୀ ମ୍ୟାଚ୍‌ରେ ଖେଳିବାକୁ ସୁଯୋଗ ମିଳିବ। ଦଳରୁ ବାହାରେ ବସିବାକୁ ନେଇ ସବୁବେଳେ ଅଭିଯୋଗ କରିପାରିବି ନାହିଁ। କାରଣ ଭାରତ ପାଇଁ ଖେଳିବାକୁ ସୁଯୋଗ ତ ମିଳୁଛି ଭାବି ମୁଁ ସକରାତ୍ମକ ଥାଏ। ଯଦି ଭଲ ଖେଳିବି ତେବେ ଆଗକୁ ମଧ୍ୟ ଖେଳିବି ବୋଲି ସେ କହିଛନ୍ତି।

କହିରଖୁଛୁ, ବିସିସିଆଇ ଟିମ୍‌ ଇଣ୍ଡିଆର ଖେଳାଳିମାନଙ୍କୁ ରୋଟେଟ୍‌ କରି ଆସୁଛି। କେତେବେଳେ ଟିମ୍‌ରୁ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଉଛି ତ କେତେବେଳେ ଯୁବ ଖେଳାଳି ବାହାରେ ନିଜର ସୁଯୋଗକୁ ଅପେକ୍ଷା କରୁଛନ୍ତି। ଏହା କିଛି ଖେଳାଳିଙ୍କୁ ପ୍ରଭାବିତ କରୁଥିବା ବେଳେ ଅକ୍ଷର କିନ୍ତୁ ସକରାତ୍ମକ ମାନସିକତା ସହ ନିଜର ମନୋବଳ ବଢ଼ାଉଛନ୍ତି।

Share