ପୁରୁଣା ଭୁବନେଶ୍ୱର,୨ା୪(ଡି.ଏନ୍.ଏ.): ଆସନ୍ତା ଅଶୋକାଷ୍ଟମୀରେ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏ ନେଇ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ନିର୍ମାଣ ହେଉଥିବା ରଥ ଚକରେ ନୂଆ ଅଖ ଲାଗି ହୋଇଛି। ବିଧି ମୁତାବକ ମଙ୍ଗଳ ଆଳତି, ଅବକାଶ, ରୋଷହୋମ, ଛାମୁ ପରିଷ୍କାର କରାଯାଇ ମହାସ୍ନାନ ଦିଆଯାଇଥିଲା। ପରେ ଠାକୁରଙ୍କ ବେଶ କରାଯାଇଥିଲା। ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ଖଇଦହି ବଲ୍ଲଭ, ଠାକୁରାଣୀ ଖଇଦହି ବଲ୍ଲଭ ସରିବା ପରେ ପାଳିଆ ପୂଜାପଣ୍ଡା ସେବାୟତ ମଣ୍ଟୁ ପୂଜାପଣ୍ଡାଙ୍କ ସହ ପତ୍ରୀ, ଚର୍ଚ୍ଚେଇତ, ମନ୍ଦିର ସୁପରଭାଇଜର, ପର୍ବଯାତ୍ରୀ ବିଶୋଇ ଘଣ୍ଟ କାହାଳି ସହ ରଥଖଳାରେ ପହଞ୍ଚିଥିଲେ। ପତ୍ରୀ ସେବକ ଅଖରେ ଚନ୍ଦନ, ସିନ୍ଦୂର, ଫୁଲମାଳ ଦେଇସାରିବା ପରେ ଅଖ ପାଖରେ କଳସ ସ୍ଥାପନ କରାଯାଇଥିଲା। ପତ୍ରୀ ସେବକ ଠା’ କରିଥିଲେ। ଏହାପରେ ପୂଜାପଣ୍ଡା ସେବକ ପଞ୍ଚ ଉପଚାରରେ ଉକ୍ତ କଳସ ଓ ଅଖକୁ ପୂଜାକରି ଧୂପ ଦୀପ ଭୋଗ ନୈବେଦ୍ୟ ଅର୍ପଣ କରିଥିଲେ। ପରେ ରଥ ନିର୍ମାଣରେ ନିୟୋଜିତ ମହାରଣା ସେବାୟତମାନେ ଚକରେ ଅଖ ସଂଯୋଗ କରିଥିଲେ।