ବାରାଣସୀ,୧୦।୧: ୧୯୯୨ ବାବ୍ରି ମସ୍ଜିଦ୍ ଭଙ୍ଗା ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ୩୨ଜଣଙ୍କ ବିରୋଧରେ ଆଲ୍ଲାହାବାଦ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଅଯୋଧ୍ୟାର ୨ବାସିନ୍ଦା। ୨୦୨୦ ସେପ୍ଟେମ୍ବର ୩୦ରେ ସିବିଆଇ କୋର୍ଟ ଭାଜପା ନେତା ଲାଲ୍କୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଜୋଷୀଙ୍କ ସମେତ ୩୨ଜଣ ଅଭିଯୁକ୍ତଙ୍କୁ ପ୍ରମାଣ ଅଭାବରୁ ଖଲାସ କରିଥିଲେ। ହେଲେ ମାମଲାର ପରିଚାଳନା କରୁଥିବା ସିବିଆଇ ପକ୍ଷରୁ ଏହି ରାୟ ବିରୋଧରେ କୌଣସି ଆବେଦନ କରାଯାଇ ନାହିଁ। ତେଣୁ ଆମେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛୁ ବୋଲି ଆବେଦନକାରୀଙ୍କ ଓକିଲ ତଥା ଅଲ୍ ଇଣ୍ଡିଆ ମୁସ୍ଲିମ୍ ପର୍ସନାଲ ଲ’ ବୋର୍ଡର କାର୍ଯ୍ୟକାରୀ ସଦସ୍ୟ ଜାଫୟାବ୍ ଜିଲାନୀ ପ୍ରକାଶ କରିଛନ୍ତି। ଜାଫୟାବ୍ ବାବ୍ରି ମସ୍ଜିଦ୍ ଆକ୍ସନ କମିଟିର ଆବାହକ ମଧ୍ୟ ଥିଲେ। ସିବିଆଇ କୋର୍ଟଙ୍କ ରାୟ ବିରୋଧରେ ଅଯୋଧ୍ୟାର ହଜି ମେହମ୍ମୁଦ ଅହମ୍ମଦ(୭୪) ଏବଂ ସୟଦ୍ ଅଖ୍ଲାକ୍ ଅହମ୍ମଦ(୮୧) ଉଚ୍ଚ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆବେଦନରେ ସେମାନେ କହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିଲେ ମଧ୍ୟ ମାମଲାର ଶୁଣାଣି କରୁଥିବା କୋର୍ଟ ଏହାକୁ ଠିକ୍ଭାବେ ଗ୍ରହଣ କରିନାହାନ୍ତି।