Categories: ଜାତୀୟ

ଅଯୋଧ୍ୟା ହିଁ ରାମଙ୍କ ଜନ୍ମସ୍ଥାନ

ନୂଆଦିଲ୍ଲୀ,୧୫।୭: ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ଭଗବାନ ରାମ ଜଣେ ନେପାଳୀ ଓ ତାଙ୍କ ଜନ୍ମସ୍ଥାନ ଅଯୋଧ୍ୟା ନେପାଳରେ ରହିଛି ବୋଲି କହିବା ପରେ ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଭିନ୍ନ ମଠ ମହନ୍ତ, ସାଧୁସନ୍ଥମାନେ ଏହାକୁ ବିରୋଧ କରିଛନ୍ତି। ଅଖିଳ ଭାରତୀୟ ଆଖଡ଼ା ପରିଷଦ (ଏବିଏପି)ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରି ନେପାଳ ପ୍ରଧାନମନ୍ତ୍ରୀ ଦେଇଥିବା ମନ୍ତବ୍ୟ ନିରାଧାର ଓ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଭାରତର ଉତ୍ତରପ୍ରଦେଶରେ ଥିବା ଅଯୋଧ୍ୟା ହିଁ ଭଗବାନ ରାମଙ୍କ ଜନ୍ମସ୍ଥାନ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ କେହି ଦ୍ୱନ୍ଦ୍ୱ ସୃଷ୍ଟି ନ କରିବା ଲାଗି ସେ ସତର୍କ କରାଇଛନ୍ତି।
‘ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର’ର ଅଧ୍ୟକ୍ଷ ମହନ୍ତ ନ୍ରିତ୍ୟଗୋପାଳ ଦାସ ଭଗବାନ ରାମ ହେଉଛନ୍ତି ‘ଚକ୍ରବର୍ତ୍ତୀ’ ଶାସକ। ନେପାଳ ଭଳି ଅନେକ ଦେଶ ତାଙ୍କ ଆଶ୍ରିତ ଥିଲେ। ନେପାଳ ସହ ଅଯୋଧ୍ୟାର ସମ୍ପର୍କ ତ୍ରେତୟା ଯୁଗରୁ ରହିଆସିଛି। ହଜାର ହଜାର ବର୍ଷରୁ ପ୍ରଥାମାନ ଚାଲିଆସୁଛି। ପୁରାଣ ତଥା ସନାତନ ଧର୍ମ ପ୍ରଥା ସମ୍ପର୍କରେ କିଛି କହିବା ଠିକ୍‌ ନୁହେଁ। ରାମଙ୍କ ଭକ୍ତମାନେ ଏହାକୁ ବରଦାସ୍ତ କରିପାରିବେ ନାହିଁ। ନେପାଳ ପ୍ରଧାନମନ୍ତ୍ରୀ ଏଭଳି କହିବା ଦୁର୍ଭାଗ୍ୟଜନକ ବୋଲି ସେ ପ୍ରକାଶ କରିଛନ୍ତି।
ଅଯୋଧ୍ୟାସ୍ଥିତ ହନୁମାନ ଗଡ଼ି ମନ୍ଦିରର ମହନ୍ତ ରାଜୁ ଦାସ ମଧ୍ୟ ଓଲିଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ସରୟୁ ନିତ୍ୟ ଆରତୀ ମହନ୍ତ ଶଶିକାନ୍ତ ଦାସ ଓଲିଙ୍କ ଏଭଳି ମିଥ୍ୟା ପ୍ରଚାରକୁ ବିରୋଧ କରି ପ୍ରଧାନମନ୍ତ୍ରୀ ମୋଦିଙ୍କ ହସ୍ତକ୍ଷେପ ଲାଗି ଏକ ପତ୍ର ଲେଖିବି ବୋଲି କହିଛନ୍ତି। ଭିଏଚ୍‌ପି ଆଞ୍ଚଳିକ ସମ୍ପାଦକ ଅମ୍ବରିଶ କୁମାର ଧାର୍ମିକ ଶିଳାଲିପିରେ ରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟା ଲେଖାଥିବା କହିଛନ୍ତି। କୋଟି କୋଟି ହିନ୍ଦୁ ମଧ୍ୟ ଏହାକୁ ବିଶ୍ୱାସ କରିଆସିଛନ୍ତି। ଓଲିଙ୍କ ମାନସିକ ସ୍ଥିତି ଭଲନାହିଁ। ସେ ଯାହାମାନେ ତାହା କହି ବିବାଦ ସୃଷ୍ଟି କରି ଚାଇନାକୁ ଖୁସି କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟ ଏଭଳି ପ୍ରସଙ୍ଗକୁ ନେଇ ମର୍ଯ୍ୟାଦାହାନି ହେଲାଭଳି ମନ୍ତବ୍ୟ ନ ଦେବାକୁ କହିଛନ୍ତି।

Share