Categories: ଜାତୀୟ

ଅଯୋଧ୍ୟା ଆନ୍ଦୋଳନକୁ ପ୍ରଥମେ ଉତ୍ସାହିତ କରିଥିଲା କଂଗ୍ରେସ

ନୂଆଦିଲ୍ଲୀ, ୩।୧୨(ପି.ଟି.): ଅଯୋଧ୍ୟା ଆନ୍ଦୋଳନକୁ ପ୍ରୋତ୍ସାହିତ କରିବାରେ କଂଗ୍ରେସ ପ୍ରଥମ ରାଜନୈତିକ ଦଳ ବୋଲି ଏକ ନୂତନ ପୁସ୍ତକରେ କୁହାଯାଇଛି। ଏପରିକି ଅଯୋଧ୍ୟା ଆନ୍ଦୋଳନକୁ କଂଗ୍ରେସର ପ୍ରାରମ୍ଭିକ ସମର୍ଥନ କଥାକୁ ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ ସ୍ବୀକାର କରିଛନ୍ତି। ସେତେବେଳେ ଭାଜପା ଏହି ଆନ୍ଦୋଳନଠାରୁ ଦୂରେଇ ରହିଥିଲା।
୧୯୮୩ରେ ଉତ୍ତରପ୍ରଦେଶର ମୁଜାଫରନଗର ସହରରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଆୟୋଜିତ ହିନ୍ଦୁ ସମ୍ମିଳନୀରେ କଂଗ୍ରେସ ଅଯୋଧ୍ୟା ଆନ୍ଦୋଳନକୁ ଉସୁକାଇଥିଲା ବୋଲି ଲେଖକ ତଥା ରାଜନୀତି ବିଜ୍ଞାନୀ ବିନୟ ସୀତାପତି ତାଙ୍କ ପୁସ୍ତକ ‘ଯୁଗଳବନ୍ଦୀ: ଦି ବିଜେପି ବିଫୋର ମୋଦି’ରେ ଉଲ୍ଲେଖ କରିଛନ୍ତି। ଭିଏଚ୍‌ପିର ଉକ୍ତ ବୈଠକରେ ଦୁଇ ପୂର୍ବତନ କଂଗ୍ରେସ ମନ୍ତ୍ରୀ ଦାଉ ଦୟାଲ ଖାନ୍ନା ଏବଂ ଗୁଲଜାରିଲାଲ୍‌ ନନ୍ଦା ଯୋଗଦେଇଥିଲେ। ଖାନ୍ନା ନିଜକୁ ତୁଳସୀ ଦାସଙ୍କ ଅବତାର କହୁଥିବାବେଳେ ଗୁଲ୍‌ଜାରିଲାଲ ଜଣେ ଖ୍ୟାତନାମା କଂଗ୍ରେସ ନେତା ଓ ସେ ଜବାହରଲାଲ ନେହେରୁ, ଲାଲ୍‌ ବାହାଦୁର ଶାସ୍ତ୍ରୀ ଓ ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ। ଏହା ବ୍ୟତୀତ ସେ ଦୁଇଥର କାମଚଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଗୁଲଜାରିଲାଲ ଏବଂ ଆର୍‌ଏସ୍‌ଏସ୍‌ ସଦସ୍ୟମାନଙ୍କ ଉପସ୍ଥିତିରେ ଖାନ୍ନା ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଉପରେ ଗୁରୁତ୍ୱାରୋପ କରିଥିଲେ।

Share