Categories: ଜାତୀୟ

ପୁତ୍ର ଭକ୍ତିରେ ବିହ୍ବଳ ମା’

ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ ୯ଟି ଇଟାରେ ରାମ ମନ୍ଦିରର ମୂଳଦୂଆ ପକାଇଥିଲେ। କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିପାଇଁ ଅନ୍ୟାନ୍ୟ ଭକ୍ତମାନେ ଏହି ଭବ୍ୟ ଆୟୋଜନରେ ସାମିଲ ହୋଇପାରି ନ ଥିଲେ। ତେଣୁ ଟିଭିରେ ଲାଇଭ୍‌ ପ୍ରସାରଣ ଦେଖି ସେମାନଙ୍କୁ ସନ୍ତୋଷ ହେବାକୁ ପଡ଼ିଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଛନ୍ତି। ହୀରାବେନଙ୍କ କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ପୁଅର ଭକ୍ତି ଭାବାବେଗକୁ ଦେଖି ମା’ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିବା ନଜର ଆସିଛି। ଉକ୍ତ ଫଟୋଗୁଡ଼ିକରେ ମୋଦି କେତେବେଳେ ହନୁମାନଗଡ଼ିରେ ପୂଜାର୍ଚ୍ଚନା ଓ ଆରତୀ କରୁଛନ୍ତି ତ ଆଉ କେତେବେଳେ ରାମଲଲାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମା’ ହୀରାବେନ ଟିଭି ସମ୍ମୁଖରେ ହାତ ଯୋଡ଼ି ପୁଅଙ୍କୁ ଦେଖୁଥିବା ଦୃଶ୍ୟ ନଜର ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share