Categories: ଜାତୀୟ

୧୫୫ ଦେଶର ପବିତ୍ର ନଦୀ ଜଳରେ ରାମଲାଲାଙ୍କ ହେବ ଜଳାଭିଷେକ

ଲକ୍ଷ୍ନୌ,୭।୪: ଆସନ୍ତା ବର୍ଷ ୨୦୨୪ରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେବ। ଏହି ସମୟରେ ଏକ ଖବର ସାମ୍ନାକୁ ଆସିଛି ଯେ, ପାକିସ୍ଥାନ, ଚାଇନା, ଇରାନ, ଆରବ ଦେଶ, ଆମେରିକା ସମେତ ୧୫୫ଟି ଦେଶର ନଦୀ ଜଳରେ ଅଯୋଧ୍ୟାରେ ରାମ ଲାଲାଙ୍କ ଜଳାଭିଷେକ କରାଯିବ। ଏପ୍ରିଲ ୨୩ରେ ହେବାକୁ ଥିବା ଏହି ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଯୋଗ ଗୁରୁ ରାମଦେବ ମଧ୍ୟ ସାମିଲ ହେବେ। ସମଗ୍ର ବିଶ୍ବର ବିଭିନ୍ନ ଦେଶର ନଦୀରୁ ଅଣାଯାଇଥିବା ଜଳପାତ୍ରରେ ସେ ଦେଶର ନାଁ, ଜାତୀୟ ପତାକା ଓ ନଦୀର ନାଁ ଥିବା ଷ୍ଟିକର୍‌ ଲଗାଯାଇଛି। ଏହି କାର୍ଯ୍ୟକ୍ରମରେ ଅନେକ ଦେଶର ରାଷ୍ଟ୍ରଦୂତ ଅଂଶ ଗ୍ରହଣ କରିବାର ସୂଚନା ରହିଛି।

ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି ଯେ, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ, ସେହି ସମୟରେ ଦେଶର ପ୍ରାୟ ୧୦୦୦ ସ୍ଥାନରୁ ଜଳ ଆଣି ଅର୍ପଣ କରାଯାଇଥିଲା। ସେହି ସମୟରେ ଭାଜପା ନେତା ବିଜୟ ଜୈଲି ୧୫୫ ଦେଶର ପବିତ୍ର ନଦୀରୁ ଜଳ ଆଣିବାର ସଂକଳ୍ପ ନେଇଥିଲେ।

 

 

Share