ଅଯୋଧ୍ୟା,୨୮।୪: ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିରର ନିର୍ମାଣ କାର୍ଯ୍ୟ ଦିନ ରାତି ଲାଗି ରହିଛି। ଚଳିତ ବର୍ଷ ଅକ୍ଟୋବର ମାସ ସୁଦ୍ଧା ମନ୍ଦିରର ପ୍ରଥମ ଭାଗ ନିର୍ମାଣ କାର୍ଯ୍ୟ ସରିବ ବୋଲି କୁହାଯାଉଛି। ଏବେ ମନ୍ଦିରର ଗର୍ଭ ଗୃହରେ ଭଗବାନ ରାମଙ୍କ ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠାକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ରାମଲଲାଙ୍କ ଦର୍ଶନ ପାଇଁ ଅପେକ୍ଷା ରଖିଥିବା ଭକ୍ତଙ୍କ ମନୋକାମନା ପୁରଣ ହେବାକୁ ଯାଉଛି। ଯୋଗୀ ସରକାରଙ୍କ ଅର୍ଥମନ୍ତ୍ରୀ ସୁରେଶ ଖାନ୍ନା ଟୁଇଟ କରି ଜଣାଇଛନ୍ତି କି ଆସନ୍ତା ବର୍ଷ ୨୨ ଜାନୁୟାରୀରେ ଗର୍ଭଗୃହରେ ଭଗବାନ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଯିବ। ଏହାପରେ ଭକ୍ତ ମନ୍ଦିରରେ ପୂଜାର୍ଚ୍ଚନା କରିପାରିବେ।
ମିଳିଥିବା ସୂଚନା ଅନୁଯାୟୀ, ମନ୍ଦିରରେ ଭଗବାନ ରାମଙ୍କ ପୁରୁଣା ଓ ନୂଆ ଉଭୟ ମୂର୍ତ୍ତିକୁ ସ୍ଥାପନା କରାଯିବ। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ସମ୍ପୂର୍ଣ୍ଣ ବିଧି ବିଧାନ ସହ ପୂଜାପାଠ ସହ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ। ଏହାପରେ ମନ୍ଦିର ଶ୍ରଦ୍ଧାଳୁଙ୍କ ପାଇଁ ଖୋଲି ଦିଆଯିବ ଓ ଭକ୍ତ ଭଗବାନ ରାମଙ୍କ ଦର୍ଶନ କରିପାରିବେ।