Categories: ଜାତୀୟ

ସାମ୍ନାକୁ ଆସିଲା ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହ ଚିତ୍ର, ଆସନ୍ତା ମାସରେ ହେବ ପ୍ରାଣ ପ୍ରତିଷ୍ଠା

ନୂଆଦିଲ୍ଲୀ, ୯।୧୨: ଆସନ୍ତା ମାସରେ ଅଯୋଧ୍ୟା ରାମ ମନ୍ଦିରରେ ଭଗବାନଙ୍କ ମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଗର୍ଭଗୃହ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ଏହାରି ମଧ୍ୟରେ ପ୍ରଥମ ଚିତ୍ର ସାମ୍ନାକୁ ଆସିଛି, ଯେଉଁଥିରେ ଭବ୍ୟ ଗର୍ଭଗୃହର କାନ୍ଥ ଏବଂ ଗମ୍ବୁଜରେ ସୁନ୍ଦର ଖୋଦିତ କଳାକୃତି ଦେଖିବାକୁ ମିଳୁଛି। ମନ୍ଦିର ଟ୍ରଷ୍ଟର ଅଧିକାରୀ ଏହି ଚିତ୍ର ପ୍ରକାଶ କରିଛନ୍ତି।

ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଉଦ୍ଘାଟନୀ ଉତ୍ସବ ଆସନ୍ତା ବର୍ଷ ୨୨ ଜାନୁୟାରୀ ୨୦୨୪ ରେ ଅନୁଷ୍ଠିତ ହେବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରାୟ ସାତ ହଜାର ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି। ଅଯୋଧ୍ୟାରେ ନିର୍ମିତ ରାମ ମନ୍ଦିର ଗର୍ଭଗୃହର ଚିତ୍ର ଶ୍ରୀ ରାମଜନମଭୂମି ତିର୍ଥ କ୍ଷେତ୍ରର ସାଧାରଣ ସମ୍ପାଦକ ଚମ୍ପତ ରାୟ ସେୟାର କରିଛନ୍ତି।

ଡିସେମ୍ବର ୧୫ ସୁଦ୍ଧା ମନ୍ଦିରର ଗର୍ଭଗୃହରେ ରାମଲାଲାଙ୍କ ପ୍ରତିମା ସ୍ଥାପନ ପାଇଁ ପ୍ରସ୍ତୁତ ହୋଇଯିବ। ରାମଲାଲାଙ୍କର ତିନୋଟି ମୂର୍ତ୍ତି (ଭଗବାନ ରାମଙ୍କର ଶିଶୁ ରୂପ) ତିଆରି କରାଯାଉଛି। ଅଧିକାରୀ କହିଛନ୍ତି ଯେ ଭଗବାନ ରାମଲାଲାଙ୍କ ତିନୋଟି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ଶେଷ ହେବାକୁ ଯାଉଛି, ସେଥିମଧ୍ୟରୁ ଗୋଟିଏ ରାମ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ। ସେ କହିଛନ୍ତି ଯେ ତିନୋଟି ପ୍ରତିମୂର୍ତ୍ତି ମଧ୍ୟରୁ ଦୁଇଟି କର୍ଣ୍ଣାଟକରୁ ଏବଂ ଗୋଟିଏ ରାଜସ୍ଥାନରୁ ଆସିଥିବା ସ୍ୱତନ୍ତ୍ର ପଥରରେ ନିର୍ମାଣ କରାଯାଉଛି।

 

Share