Categories: ଜାତୀୟ

ଜୀବନ ହାରିବାକୁ ଅନୁମତି ମାଗିଲେ ଅଯୋଧ୍ୟା ସନ୍ଥ

ଅଯୋଧ୍ୟା,୨ା୧୨(ଆଇଏଏନ୍‌ଏସ୍‌): ଅଯୋଧ୍ୟାର ମହନ୍ତ ପରମହଂସ ଦାସ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଏକ ପତ୍ର ଲେଖିଛନ୍ତି। ସେଥିରେ ସେ ୭ ଗୋଟି ଦାବି ଉପସ୍ଥାପନ କରିଛନ୍ତି। ଉକ୍ତ ଦାବିଗୁଡ଼ିକ ପୂରଣ ନ ହେଲେ ସେ ଜୀବନ ହାରିଦେବେ ଏବଂ ଏଥିସକାଶେ ରାଷ୍ଟ୍ରପତି ଅନୁମତି ଦିଅନ୍ତୁ ବୋଲି ପରମହଂସ ଦାସ ଜଣାଇଛନ୍ତି।
ତପସ୍ବୀ ଛାଉଣିର ମହନ୍ତ ପରମହଂସ ଦାସ ମହାରାଜଙ୍କ ଦାବିଗୁଡ଼ିକ ହେଲା ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଆଇନ ପ୍ରଣୟନ, ଏକକ ଦଓ୍ବୋନୀ ସଂହିତା କାର୍ଯ୍ୟକାରୀ, ଭାରତକୁ ହିନ୍ଦୁ ରାଷ୍ଟ୍ର ଘୋଷଣା, ଝିଅଙ୍କ ପାଇଁ ମାଗଣା ଶିକ୍ଷା, ଯୁବତୀ ଯୁବକଙ୍କୁ ନିଯୁକ୍ତି, ଗାଈକୁ ଏକ ସୁରକ୍ଷିତ ଜାତୀୟ ପ୍ରତୀକ ଭାବେ ମାନ୍ୟତା ଓ ରାମାୟଣକୁ ଜାତୀୟ ମହାକାବ୍ୟ ରୂପେ ଘୋଷଣା କରି ପାଠ୍ୟକ୍ରମରେ ସାମିଲ କରିବା। ମହନ୍ତ ଉକ୍ତ ପତ୍ରର ନକଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଅଯୋଧ୍ୟା ଜିଲାପାଳଙ୍କ ନିକଟକୁ ମଧ୍ୟ ପଠାଇଛନ୍ତି। ମହନ୍ତ କହିଛନ୍ତି, ତାଙ୍କ ଦାବିଗୁଡ଼ିକ ଜାତୀୟ ସ୍ବାର୍ଥର ସୁରକ୍ଷା ଏବଂ ଦେଶକୁ ଆଉ ଏକ ବିଭାଜନରୁ ରୋକିବା ପାଇଁ ଉଦ୍ଦିଷ୍ଟ। ପ୍ରକାଶ ଯେ, ମହନ୍ତ ପରମହଂସ ଦାସ ଅକ୍ଟୋବରରେ ଭାରତକୁ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଅନଶନରେ ବସିଥିଲେ। ତାଙ୍କ ସ୍ବାସ୍ଥ୍ୟ ବିଗିଡ଼ିବାରୁ ପୋଲିସର ହସ୍ତକ୍ଷେପ ଫଳରେ ସେ ଅନଶନ ଭାଙ୍ଗିବାକୁ ବାଧ୍ୟ ହୋଇଥିଲେ।

Share