ରାମ ମନ୍ଦିର ଉଦ୍‌ଘାଟନୀ ଉତ୍ସବରେ ଦେଢ ଲକ୍ଷ ଭକ୍ତଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିବେ ଏହି ବ୍ୟକ୍ତି, କରିଛନ୍ତି ୧୨ ବିଶ୍ୱ ରେକର୍ଡ

ଅଯୋଧ୍ୟା,୧୧।୧: ଅଯୋଧ୍ୟାରେ ରାମ ମନ୍ଦିରର ଭବ୍ୟ ଅଯୋଜନ ହେବାକୁ ଯାଉଛି। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରାମ ମନ୍ଦିରର ଉଦ୍‌ଘାଟନୀ ଓ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଅବସରରେ ପ୍ରାୟ ଦେଢ ଲକ୍ଷ ଭକ୍ତ ପ୍ରସାଦ ଗ୍ରହଣ କରିବେ। ଏଥିପାଇଁ ୭ହଜାର କିଲୋର ରାମ ହଲଓ୍ବା ପ୍ରସ୍ତୁତ କରାଯାଉଛି।
ଏତେ ଅଧିକ ପରିମାଣର ପ୍ରସାଦ ପ୍ରସ୍ତୁତ କରିବା ଦାୟିତ୍ୱ ନାଗପୁରର ମାହିର ହଲଓ୍ବାଇ ବିଷ୍ଣୁ ମନହୋରଙ୍କୁ ଦିଆଯାଇଛି। ସେ ଦେଢଲକ୍ଷ ଭକ୍ତଙ୍କ ପାଇଁ ୭ହଜାର କିଲୋ ପ୍ରସାଦ ପ୍ରସ୍ତୁତ କରୁଛନ୍ତି। ଏକ ୧୪ଶହ କିଲୋର କରେଇରେ ସେ ଏହି ହଲଓ୍ବା ପ୍ରସ୍ତୁତ କରିବେ।

ପ୍ରସାଦ ପ୍ରସ୍ତୁତ କରୁଥିବା ବିଷ୍ଣୁ ଜଣେ ଚମତ୍କାର ହଲଓ୍ବାଇ ଅଟନ୍ତି। ଏବେ ପର୍ଯ୍ୟନ୍ତ ସେ ନିଜ ନାଁରେ ୧୨ଟି ଓ୍ବାଲର୍‌ଡ ରେକର୍ଡ କରିଛନ୍ତି। ନିକଟରେ ୨୮୫ମିନିଟରେ ୭୫ପ୍ରକାର ଚାଉଳ ସହ ୭୫ପ୍ରକାର ଅଲଗା ଅଲଗା ପକବାନ ପ୍ରସ୍ତୁତ କରି ଓ୍ବାଲର୍‌ଡ ରେକର୍ଡ ସୃଷ୍ଟି କରିଛନ୍ତି। ସେ ସୋସିଆଲ ମିଡିଆରେ ରୋଷେଇର ଲାଇଭ କ୍ଲାସ ମଧ୍ୟ କରୁଛନ୍ତି।
ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଏହି ହଲଓ୍ବା ପ୍ରସ୍ତୁତ ପାଇଁ ୯୦୦କିଲୋ ସୁଜି,ହଜାରେ କିଲୋ ଚିନି, ୨୫ଶହ ଲିଟର କ୍ଷୀର, ହଜାରେ କିଲୋ ଘିଅ ଇତ୍ୟାଦି ବ୍ୟବହାର କରୁଛନ୍ତି।

Share