ଜୟପୁର, ୨୮।୬: ଆୟୁଷ ମନ୍ତ୍ରଣାଳୟର ବିନା ଅନୁମତିରେ ପତଞ୍ଜଳି ପକ୍ଷରୁ କୋଭିଡ୍-୧୯ ଔଷଧ ‘କରୋନିଲ୍’ ପ୍ରସ୍ତୁତ କରାଯାଇଛି। ଏନେଇ ରାଜସ୍ଥାନର ଜ୍ୟୋତି ନଗର ପୋଲିସ୍ ଷ୍ଟେଶନରେ ରାମଦେବଙ୍କ ସମେତ ପତଞ୍ଜଳି ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ଆଚାର୍ଯ୍ୟ ବାଲକ୍ରିଷ୍ଣଙ୍କ ନାମରେ ଶନିବାର ଏକ ମାମଲା ଦାଏର ହୋଇଛି। ଏନେଇ ଡିସିପି ଅଶୋକ ଗୁପ୍ତା ସୂଚନା ଦେଇଛନ୍ତି। ଏଥିରେ ଜୟପୁର ସ୍ଥିତ ଜାତୀୟ ମେଡ଼ିକାଲ ସାଇନ୍ସ୍ ଏବଂ ଗବେଷଣା ସଂସ୍ଥାନ(ଏନ୍ଆଇଏମ୍ଏସ୍)ର ନିର୍ଦ୍ଦେଶକ ବି.ଏସ୍. ତୋମର, ତାଙ୍କ ପୁଅ ଅନୁରାଗ ତୋମର ଏବଂ ବରିଷ୍ଠ ବୈଜ୍ଞାନିକ ଅନୁରାଗ ବର୍ଶନେୟଙ୍କ ନାମ ମଧ୍ୟ ରହିଛି। ଆଇନଜୀବୀ ବଳରାମ ଝାଖଡ଼ଙ୍କ ଦ୍ୱାରା ଏହି ମାମଲା ଦାଏର କରାଯାଇଛି। ହରିଦ୍ୱାରର ପତଞ୍ଜଳି ଆୟୁର୍ବେଦ ପକ୍ଷରୁ ଜୁନ୍ ୨୩ରେ କୋଭିଡ୍-୧୯ ପାଇଁ ପ୍ରସ୍ତୁତ ହୋଇଥିବା ଔଷଧ ‘କରୋନିଲ୍’ ସମ୍ପର୍କରେ ଘୋଷଣା କରାଯାଇଥିଲା। କରୋନା ଆକ୍ରାନ୍ତ ୭ ଦିନ ମଧ୍ୟରେ ସୁସ୍ଥ ହେବେ ବୋଲି କୁହାଯାଇଥିଲା। ଏନେଇ ପରୀକ୍ଷା ଏନ୍ଆଇଏମ୍ଏସ୍ ସହାୟତାରେ କରାଯାଇଥିବା ସୂଚନା ମଧ୍ୟ ଦିଆଯାଇଥିଲା। ‘କରୋନିଲ୍’ ସମ୍ପର୍କରେ ଘୋଷଣା କରାଯିବାର କିଛି ଘଣ୍ଟା ମଧ୍ୟରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପତଞ୍ଜଳି ଆୟୁର୍ବେଦକୁ ବିଶଦ ବିବରଣୀ ମଗାଯାଇ ପରୀକ୍ଷା ଶେଷ ନ ହେବା ପର୍ଯ୍ୟନ୍ତ ଔଷଧ ସମ୍ପର୍କିତ ପ୍ରଚାର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି ହୋଇଥିଲା।