Categories: ଜାତୀୟ

ଆୟୁର୍ବେଦିକ ଚିକିତ୍ସକ ପି. କେ. ଓ୍ବାରିଅରଙ୍କ ପରଲୋକ

କୋଝିକୋଡ୍‌, ୧୧ା୭: ଆୟୁର୍ବେଦକୁ ସମଗ୍ର ବିଶ୍ୱରେ ଲୋକପ୍ରିୟ କରାଇବା ଏବଂ ବୈଜ୍ଞାନିକ ଆଧାରରେ ଶାସ୍ତ୍ରୀୟ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ବଢ଼ାଇବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୋଟ୍ଟାକ୍କଲ ଆର୍ଯ୍ୟ ବିଦ୍ୟାଶାଳା (ଏଭିଏସ୍‌)ର ବିଶିଷ୍ଟ ଆୟୁର୍ବେଦିକ ଚିକିତ୍ସକ ଡା. ପି. କେ. ଓ୍ବାରିଅରଙ୍କ ଶନିବାର ପରଲୋକ ଘଟିଛି। ତାଙ୍କୁ ୧୦୦ ବର୍ଷ ହୋଇଥିଲା। କେରଳ ମାଲାପୁରମ୍‌ର କୋଟ୍ଟାକ୍କଲଠାରେ ଥିବା ତାଙ୍କ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଦଶନ୍ଧି ଧରି ଆୟୁର୍ବେଦ ଚିକିତ୍ସକ ଭାବେ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଅଗଣିତ ରୋଗୀଙ୍କୁ ଚିକିତ୍ସା ଯୋଗାଇଦେଇଛନ୍ତି। କ୍ଲିନିକାଲ୍‌, ଫାର୍ମାସ୍ୟୁଟିକାଲ, ଶିକ୍ଷାଗତ ଏବଂ ଅନୁସନ୍ଧାନ ପରିସରକୁ ଆଧୁନିକୀକରଣ କରି ସେ ଆୟୁର୍ବେଦ ଚିକିତ୍ସାକୁ ବେଶ୍‌ ଆଗକୁ ନେଇଯାଇଛନ୍ତି। ଏଭଳି ମହତ ଅବଦାନ ଯୋଗୁ ତାଙ୍କୁ ୧୯୯୯ରେ ପଦ୍ମଶ୍ରୀ ଏବଂ ୨୦୧୦ରେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଆତ୍ମଜୀବନୀ ‘ସ୍ମୃତି ପରଭମ୍‌’ ପାଇଁ ୨୦୦୮ରେ ତାଙ୍କୁ କେରଳ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା।

Share