ଲାଞ୍ଚ ନେଇ ଆୟୁଷ ଡାକ୍ତର ଗିରଫ

କୁତ୍ରା, ୨୩।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁତ୍ରା ବ୍ଲକ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ବେହେରା ଶୁକ୍ରବାର ଭିଜିଲାନ୍ସ ହାତରେ ଧରିପଡ଼ିଛନ୍ତି। ସରକାରୀ କ୍ବାର୍ଟର୍ସରେ ଜଣେ ଅଟୋ ଚାଳକ ଅରବିନ୍ଦ ଖାଲଖୋଙ୍କଠାରୁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ଧରିଥିଲେ। ଅରବିନ୍ଦ ଗତ ରବିବାର ନିଜ ଅଟୋରେ ଛୁରିଚଖାରୁ ୬ଯାତ୍ରୀଙ୍କୁ ନେଇ ବଡ଼ମାଲ ଆସୁଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ଆହତ ୩ଜଣ ଯାତ୍ରୀଙ୍କୁ ଗଏରବାହାଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ଆୟୁଷ ଡାକ୍ତର ସାରଦା ପ୍ରସନ୍ନ ୩ଜଣଙ୍କ ଚିକିତ୍ସା କରିଥିଲେ। ପୋଲିସକୁ ଖବର ନ ଦେବା ଓ ଚିକିତ୍ସା ବାବଦରେ ଅଟୋ ଚାଳକଙ୍କୁ ୧୨ହଜାର ଟଙ୍କା ମାଗିଥିଲେ। ତାଙ୍କଠାରୁ ପ୍ରଥମେ ୮ ହଜାର ଟଙ୍କା ମଧ୍ୟ ନେଇଥିଲେ। ପରେ ବାରମ୍ବାର ଫୋନ କରି ଅଟୋ ଚାଳକଙ୍କୁ ବଳକା ଟଙ୍କା ମାଗିବାରୁ ଅରବିନ୍ଦ ଗୁରୁବାର ସୁନ୍ଦରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

Share