ଆୟୁଷ ଡାକ୍ତର କରୋନା ପ୍ରତିରୋଧକ ସମ୍ପର୍କିତ ପରାମର୍ଶ ଦେଇ ପାରିବେ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୧୫।୧୨: ଏଣିକି ଆୟୁଷ ଡାକ୍ତର କରୋନା ମହାମାରୀ ସଂକ୍ରମଣ ସମ୍ପର୍କିତ ପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ। କରୋନା ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତରମାନେ ସରକାରୀ ସରକାରୀ ସ୍ବୀକୃତି ପ୍ରାପ୍ତ ଆବଶ୍ୟକ ଔଷଧ ଏବଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ ବୋଲି ମଙ୍ଗଳବାର ସୁପ୍ରିମ୍‌କୋର୍ଟଙ୍କ ପକ୍ଷରୁ କୁହାଯାଇଛି। ସେମାାନଙ୍କୁ କଣ ଖାଇବାକୁ ପଡ଼ିବ ଏବଂ କିଭଳି ଜୀବନଶୈଳୀ ଗ୍ରହଣ କରିବାକୁ ହେବ ସେ ନେଇ ଆୟୁଷ ଡାକ୍ତର ଆବଶ୍ୟକ ପରାମର୍ଶ ଦେଇ ପାରିବେ। ମାତ୍ର କରୋନା ଆକ୍ରାନ୍ତଙ୍କ ଚିକିତ୍ସା କ୍ଷେତ୍ରରେ ଏଭଳି କରାଯାଇ ପାରିବ ନାହିଁ। ମାର୍ଚ୍ଚ ୬ରେ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକା ଅନ୍ତର୍ଗତ ଏହା ସମ୍ପନ୍ନ ହେବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ବିଚାରପତି ଅଶୋକ ଭୂଷଣ, ସୁଭାଷ ରେଡ୍ଡୀ ଏବଂ ଏମ୍‌ ଆର୍‌. ଶାହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏଭଳି ରାୟ ଦେଇଛନ୍ତି। ପୂର୍ବରୁ ଅଗଷ୍ଟ ୨୧ରେ କେରଳ ହାଇକୋର୍ଟ ରାୟ ଦେଇଥିଲେ ଯେ, କରୋନା ଆକ୍ରାନ୍ତଙ୍କୁ ଆୟୁଷ ଡାକ୍ତରମାନେ ଆବଶ୍ୟକ ଔଷଧ ଏବଂ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରୁଥିବା ପରାମର୍ଶ ଦେଇପାରିବେ ନାହିଁ। ଏହା ବିରୋଧରେ ଏକେବି ସଦ୍‌ଭାବନା ମିଶନ ସ୍କୁଲ ଅଫ୍‌ ହୋମିଓ ଫାର୍ମାସୀର ଡାକ୍ତରଙ୍କ ପକ୍ଷରୁ ଏକ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା।

Share