ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ୱର, ୨୮।୯(ଅସମାପିକା ସାହୁ)ରାଜ୍ୟରେ ଗତ ୨୧ବର୍ଷ ହେବ ଆୟୂଷ ଡାକ୍ତରଙ୍କ ପାଇଁ ନିଯୁକ୍ତି ବାହାରିନି। ଫଳରେ ବହୁ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ର ନିଯୁକ୍ତି ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ଶେଷରେ ନିଜ ଅଧିକାର ପାଇବାକୁ ସେମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟରେ ୫୦୦ ସରକାରୀ ଆୟୁର୍ବେଦିକ ଓ ୫୦୦ ସରକାରୀ ହୋମିଓପାଥିକ ଡିସ୍‌ପେନ୍‌ସାରି ଖୋଲି ନିଯୁକ୍ତି ଦାବିରେ ଲୋୟର ପିଏମ୍‌ଜିରେ ଚାଲିଥିବା ଏହି ଆନ୍ଦୋଳନ ବୁଧବାର ତିନିଦିନରେ ପହଞ୍ଚତ୍ଥିଲା। ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରମାନେ ଗାନ୍ଧୀମାର୍ଗରେ ଅଧିଆ ପଡ଼ି ଦାବି ପୂରଣ ପାଇଁ ଅଭିନବ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଆମେ ଭିକାରୀ ନୁହେଁ, ଡାକ୍ତରୀ ଛାତ୍ର ବୋଲି କାନ୍ଦି କାନ୍ଦି କହିଥିଲେ। ସରକାର ସେମାନଙ୍କ ଦାବି ସମ୍ପର୍କରେ ଶୁଣୁ ନ ଥିବାରୁ ଶେଷରେ ସେମାନେ ବ୍ୟାରିକେଡ୍‌ ଭାଙ୍ଗି ବିଧାନସଭା ଆଡକୁ ଯିବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ଅଟକାଇଥିଲା। ଫଳରେ ପୋଲିସ ଓ ଆୟୁଷ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ସନ୍ଧ୍ୟାରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ସେମାନଙ୍କୁ ଡାକି ଆଲୋଚନା କରିଥିଲେ। ଦାବି ସମ୍ପର୍କରେ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି ବୈଠକରେ ଆଲୋଚନା କରାଯାଇ ସମାଧାନ ପାଇଁ ଚିନ୍ତା କରାଯିବ ବୋଲି ସଚିବ କହିଥିବା ଅଲ୍‌ ଓଡ଼ିଶା ଆୟୁଷ ଛାତ୍ର ସଂଘର ସାଧାରଣ ସମ୍ପାଦକ ଡା. ଲୋପାମୁଦ୍ରା ଖଟୋଇ କହିଛନ୍ତି। ସଂଘ ପକ୍ଷରୁ ଗତ ୩୧ ତାରିଖରୁ ରାଜ୍ୟର ୭ଟି ଆୟୁଷ ମହାବିଦ୍ୟାଳୟର ଛାତ୍ରୀଛାତ୍ର ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିଲେ। ଏଥିସହ ରୋଗୀ ସେବା ମଧ୍ୟ ନିରନ୍ତର ଭାବେ ଜାରି ରଖିଥିଲେ। ଦୀର୍ଘ ୨୧ବର୍ଷ ହେବ ନିଯୁକ୍ତି ବାହାରି ନ ଥିବାରୁ ଶତାଧିକ ଡାକ୍ତରୀ ଛାତ୍ରୀଛାତ୍ର ଏବେ ବେକାର ହୋଇ ବସିଛନ୍ତି। ତେଣୁ ସରକାର ତୁରନ୍ତ ଡିସ୍‌ପେନ୍‌ସାରି ଖୋଲିବା ସହିତ ପ୍ରତିବର୍ଷ ୧୦୦ ଏଏମ୍‌ଓ ଏବଂ ୧୦୦ ଏଚ୍‌ଏମ୍‌ଓ ପଦବୀ ପାଇଁ ନିଯୁକ୍ତି ଦିଅନ୍ତୁ ବୋଲି ସେମାନେ ଦାବି କରି ଆସୁଛନ୍ତି।

Share