ସଙ୍କଟରେ ସୋସିଆଲ ମିଡିଆ ‘ରାଉଟର’

ନାକଟିଦେଉଳ,୭ା୨(ଡି.ଏନ୍‌.ଏ.): ସୋସିଆଲ ମିଡିଆ ରାଉଟର ଚଳାଇବା ପାଇଁ ଭାରତର ସର୍ବକନିଷ୍ଠ ଡେଭଲପର ଆୟୁଷ ରଞ୍ଜନ ରାଉତ ଏବେ ସରକାରୀ ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ସେ ଶନିବାର ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ଆମତ୍ନିର୍ଭର ଭାରତ ଆହ୍ବାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଏ ଦିଗରେ ସହଯୋଗର ହାତ ବଢ଼ାଇବାକୁ ଚିଠି ଲେଖିଛନ୍ତି। ମାତ୍ର ୧୩ ବର୍ଷ ବୟସରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ଜାମୁଯୋରୀ ପଞ୍ଚାୟତର ଦୁର୍ଗମ କୁଡ଼ାନାଳୀ ଗ୍ରାମର ଆୟୁଷ ରଞ୍ଜନ ରାଉତ ବହୁ ପରିଶ୍ରମ କରି ଫେସ୍‌ବୁକ ପରି ଏକ ସୋସିଆଲ ମିଡିଆ ଦୁଇ ବର୍ଷ ତଳେ ନିର୍ମାଣ କରିଛନ୍ତି। କୌଣସି ବୈଷୟିକ ଶିକ୍ଷା ଗ୍ରହଣ ନ କରି ସେ ଏହାକୁ ସଫଳତାର ସହ ନିର୍ମାଣ କରିଥିଲେ ସୁଦ୍ଧା ଏହା ଏବେ ବଞ୍ଚାଇ ରଖିବା ତାଙ୍କ ପକ୍ଷେ ବହୁ କଷ୍ଟକର ହୋଇପଡିଛି। କାରଣ ଏହି ସୋସିଆଲ ମିଡିଆ ରାଉଟରକୁ ବଞ୍ଚାଇବାକୁ ହେଲେ ଏକ ସର୍ଭରର ଆବଶ୍ୟକତା ରହିଛି। ଏଥିପାଇଁ ମାସକୁ ଏହାର ଭଡ଼ା ବାବଦରେ ୧୦୦ ଆମେରିକୀୟ ଡଲାର ବା ଭାରତୀୟ ମୁଦ୍ରାରେ ୭,୫୦୦ ଟଙ୍କା ଆବଶ୍ୟକତା ରହିଛି। ବର୍ତ୍ତମାନ ଏହା ଗୁଗଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧ ରହିଛି। ଏବେ ସୁଦ୍ଧା ଏହାର ୫ ହଜାରରୁ ଊର୍ଦ୍ଧ୍ୱ ବ୍ୟବହାରକାରୀ ରହିଛନ୍ତି। ରାଉଟର ନିର୍ମାଣକାରୀ ଆୟୁଷ ଟିକ୍‌ଟକ୍‌ ପରି ଆଉ ଏକ ଭିଡିଓ ଶେୟାରିଂ ଆପ୍‌ ରଙ୍ଗିଲା ନିର୍ମାଣ କରିଛନ୍ତି। ତେବେ ଆଗାମୀ ଦିନରେ ଯଦି କୌଣସି ସରକାରୀ ସହାୟତା ନ ମିଳେ, ତାହାଲେ ବହୁ କଷ୍ଟରେ ନିର୍ମାଣ କରିଥିବା ସୋସିଆଲ ମିଡିଆ ରାଉଟର ଅକାମୀ ହୋଇଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ।

Share